Categories: ଜାତୀୟ

ବିହାରରେ ଜାତିଗତ ଜନଗଣନାକୁ କ୍ୟାବିନେଟର ମୋହର

ପାଟନା,୨।୬: ବିହାରରେ ଜାତି ଭିତ୍ତିକ ଜନଗଣନାକୁ ନୀତିଶ କୁମାରଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଜାତିଗତ ଜନଗଣନା ସମୟରେ ଅର୍ଥନୈତିକ ଆଧାରରେ ଏକ ସର୍ଭେ କରିବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ୫୦୦କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାକୁ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। ଜାତି ଭିତ୍ତିକ ଜନଗଣନା ରାଜ୍ୟ ସ୍ତରରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା କରାଯିବ ଏବଂ ଜିଲାପାଳ ଜିଲା ସ୍ତରରେ ନୋଡାଲ ଅଧିକାରୀ ରହିବେ ବୋଲି ଅମୀର ସୁଭାନୀ କହିଛନ୍ତି। ଏହାପୂର୍ବରୁ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସର୍ବଦଳୀୟ ବୈଠକରେ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।

Share