Categories: ଜାତୀୟ

ଜାତିଭିତ୍ତିକ ଜନଗଣନା ଲାଗି ୨୭ରେ ହୋଇପାରେ ସର୍ବଦଳୀୟ ବୈଠକ

ପାଟନା,୨୩।୫: ରାଜ୍ୟଓ୍ବାରି ଜାତିଭିତ୍ତିକ ଜନଗଣନା ଲାଗି ବହୁପ୍ରତୀକ୍ଷିତ ସର୍ବଦଳୀୟ ବୈଠକ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହୋଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ସୋମବାର ସୂଚନା ଦେଇଛନ୍ତି। ଅଧିକାଂଶ ଦଳ ତାରିଖକୁ ନେଇ ସହମତ ଅଛନ୍ତି। ତେବେ ନିର୍ଦ୍ଦିଷ୍ଟ ତାରିଖକୁ ନେଇ ସମସ୍ତ ଦଳ ସହମତ ହେବା ଆବଶ୍ୟକ। ବୈଠକରେ ସମର୍ଥନ ମିଳିବା ପରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ନୀତୀଶ କହିଛନ୍ତି। କ୍ୟାବିନେଟ ମଞ୍ଜୁରୀ ପୂର୍ବରୁ ରାଜ୍ୟର ସବୁ ଦଳ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ସମର୍ଥନ ଦେବା ନେଇ ସେ ନିଶ୍ଚିତ। ପୂର୍ବରୁ ଉଭୟ ବିଧାନସଭା ଓ ବିଧାନ ପରିଷଦରେ ଉକ୍ତ ପ୍ରସ୍ତାବ ଗୃହୀତ ହୋଇସାରିଥିବାରୁ କୌଣସି ସମସ୍ୟା ହେବା ଉଚିତ ନୁହେଁ ବୋଲି ନୀତୀଶ କହିଛନ୍ତି। ତେବେ ଜେଡିୟୁର ସହଯୋଗୀ ଦଳ ଭାଜପା ଜାତିଭିତ୍ତିକ ଜନଗଣନାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। କେନ୍ଦ୍ର ସରକାର ଜାତୀୟସ୍ତରରେ ଜାତିଭିତ୍ତିକ ଜନଗଣନା ଲାଗି ମନା କରିଦେବା ପରେ ଭାଜପା ଭିନ୍ନ ମତ ପ୍ରକାଶ କରିଛି। ଏହାକୁ ମୁଖ୍ୟ ବିରୋଧୀ ଦଳ ଆର୍‌ଜେଡି ସମାଲୋଚନା କରିଛି। ଜାତିଭିତ୍ତିକ ଜନଗଣନା ହେଲେ ଓବିସି ଉପକୃତ ହେବେ। କିନ୍ତୁ ଉଚ୍ଚ ଜାତିଙ୍କ ସହ ରହିଥିବା ଗୈରିକ ଦଳ ଏହା ଚାହୁଁ ନ ଥିବା ଆର୍‌ଜେଡି କହିଛି।

Share