Categories: ଜାତୀୟ

ତେଜିଲା ଜାତି ଟିପ୍ପଣୀ ରାଜନୀତି: ଲୋକ ସଭାରେ ଧନକରଙ୍କ ବଡ଼ ବୟାନ, ମୁଁ ଜାଟ୍‌ ସମ୍ପ୍ରଦାୟର ସେଥିପାଇଁ ଗର୍ବିତ…

ନୂଆଦିଲ୍ଲୀ,୩୦।୭: ତେଜିଲା ଜାତି ରାଜନୀତି। ଲୋକ ସଭାରେ ବଜେଟ ଉପରେ ଆଲୋଚନାବେଳେ ଭାଜପା ଏମପି ଅନୁରାଗ ଠାକୁର ରାହୁଲଙ୍କ ଜାତି ପ୍ରସଙ୍ଗ ଉଠାଇବାରୁ ଆଜି ଦିନ ଭିତରେ ସଂସଦରେ ତୁମ୍ବି ତୋଫାନ ଦେଖା ଦେଇଛି। ଜନଗଣନା ପ୍ରସଙ୍ଗକୁ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଉଠାଉଛନ୍ତି। ଅନୁରାଗ ଠାକୁର ଏହାକୁ ନେଇ କହିଛନ୍ତି, ଯାହାଙ୍କୁ ନିଜ ଜାତି ଜଣା ନାହିଁ, ସେ ଜନଗଣନା ବିଷୟରେ କହୁଛନ୍ତି। ଏହାକୁ ନେଇ ଲୋକ ସଭା ଉଠୁଛି ପଡୁଛି। ରାହୁଲ ଗାନ୍ଧୀ ଏହି କଥାକୁ ଆଡେଇବା ସହ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ବର୍ତ୍ତମାନ ଏହି ଜାତି ପ୍ରସଙ୍ଗ ରାଜ୍ୟ ସଭାରେ ପହଞ୍ଚିଛି। ରାଜ୍ୟ ସଭା ଚାଲିଥିବାବେଳେ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖର ନିଜେ ନିଜ ଜାତିର ଖୁଲାସା କରିଥିଲେ। ସେ କହିଛନ୍ତି, ମୁଁ ଜଣେ ଜାଟ ସମ୍ପ୍ରଦାୟର ସେଥିପାର୍ଇ ମୁଁ ଗର୍ବିତ। ମୋ ଜାତି ରାଜସ୍ଥାନ ସହିତ କେନ୍ଦ୍ରୀୟ ତାଲିକାରେ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ମାନ୍ୟତା ପାଇଛି। ବଜେଟ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ଶାସକ ଦଳର ଜଣେ ସଦସ୍ୟ ଧନଖରଙ୍କୁ ଓବିସି ବୋଲି ବର୍ଣ୍ଣନା କରିବାରୁ ଧନକରଙ୍କୁ ତାଙ୍କ ଜାତି ବିଷୟରେ ପ୍ରକାଶ କରିବାକୁ ପଡିଥିଲା।

ଯେତେବେଳେ ରାଜ୍ୟ ସଭାରେ ଜାତି ପ୍ରସଙ୍ଗ ଉଠିଥିଲା ସେତେବେଳେ ଘନଶ୍ୟାମ ତିୱାରୀ ଧନଖରଙ୍କ ଉଦାହରଣ ଦେଇଥିଲେ। ଏହିି ସମୟରେ କଂଗ୍ରେସର ରଜନୀ ପାଟିଲ କହିଥିଲେ, ଧନଖର ସାହେବ କେବେ ଓବିସି ହୋଇଗଲେ, ସେ ଜଣେ ଜାଟ। ଏହା ଉପରେ ଚେୟାରମ୍ୟାନ କହିଥିଲେ, ତାଙ୍କୁ ତାଙ୍କ ଜାତି ବିଷୟରେ କହିବା ଆବଶ୍ୟକ ନାହିଁ କିନ୍ତୁ ଆଜି ସେ ଏହା କହୁଛନ୍ତି। ସେ କହିଛନ୍ତି, ମୁଁ ଜାଟ ସମ୍ପ୍ରଦାୟର ସେଥିପାଇଁ ମୁଁ ଗର୍ବିତ। ଏହି ଜାତି ରାଜସ୍ଥାନର ଓବିସିରେ ଅଛି ଏବଂ କେନ୍ଦ୍ରୀୟ ତାଲିକାରେ ମଧ୍ୟ ଓବିସିରେ ଅଛି।

Share