Advertisement

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ଅନ୍ୟ ଜାତିରେ ବିବାହ କରିବା ଅଭିଯୋଗରେ ଭତରା ସମାଜ ତାଙ୍କୁ ଓ ତାଙ୍କ ପରିବାରକୁ ୧୨ ବର୍ଷ ବାସନ୍ଦ କରିଥିଲେ। ଏବେ ଏହିଭଳି ଏକ ଘଟଣା ପୁଣି ଥରେ ନବରଙ୍ଗପୁର ଜିଲାରେ ଘଟିଛି। ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ାର ଜଣେ ଯୁବତୀ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କୁ ପରଜା ସମାଜ ଜାତିରୁ ବାହାର କରିଦେଇଥିଲା। ଏହା ମଧ୍ୟରେ ଉକ୍ତ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଦଶାହରେ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା ପରେ ମହିଳାଙ୍କୁ ଶୁଦ୍ଧି କରାଯାଇଛି। ଜାତିରେ ମାନ୍ୟତା ଦେବା ପାଇଁ ତାଙ୍କୁ ଭୋଜି ଦେବାକୁ ପଡ଼ିଛି। ଏଭଳିକି ଜାତିରେ ମିଶିବା ପାଇଁ ୩ ହଜାର୧ ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି।
ଇଚ୍ଛାବତୀଗୁଡ଼ା ସାହିର ମଙ୍ଗଳଦେଇ ଜାନୀ ପୁଟପର୍ତ୍ତି ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ହସ୍ତଶିଳ୍ପ ଦୋକାନ କରିଥିବା ହରିୟାଣାର ସଚିନ ଭତ୍ରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ କରିଥିଲେ। ତେବେ ୧୦ ବର୍ଷ ହେବ ଉଭୟ ନବରଙ୍ଗପୁର ଆସି ଏକ ଭଡ଼ାଘରେ ରହିଲେ। ୧୫ ତାରିଖରେ ସଚିନ ଋଷିକେଶ ଯାଇଥିବାବେଳେ ସେଠାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳଦେଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରିଥିବାରୁ ପରଜା ସମ୍ପ୍ରଦାୟରେ ତାଙ୍କୁ ସ୍ବୀକୃତି ମିଳି ନ ଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ନିଜର ବୋଲି ଆଉ କେହି ନ ଥିବାରୁ ପୁଣି ନିଜ ସମ୍ପ୍ରଦାୟରେ କିଭଳି ସ୍ବୀକୃତି ମିଳିବ ସେ ନେଇ ନବରଙ୍ଗପୁର ପରଜା ସମାଜ ବିକାଶ ପରିଷଦ ସହ କଥା ହୋଇଥିଲେ। ଏହାପରେ ତାଙ୍କ ଭଡ଼ାଘରେ ଦେବଦେବୀଙ୍କୁ ପୂଜା କରାଯାଇଥିଲା। ବୁଢାରାଜା, ଭଣ୍ଡାରଘରଣୀ, କଳା ଧରଣୀ ଓ ମୁଣ୍ଡା ଦେବତାଙ୍କୁ ପୂଜା କରାଗଲା। ମଙ୍ଗଳଦେଇଙ୍କୁ ପରଜା ସମାଜର ରୀତିନୀତି ଅନୁଯାୟୀ ଆମ୍ବଛାଲି, ଆମ୍ବଡାଳ, ଦୂବ, ଗଙ୍ଗାଜଳ, କ୍ଷୀର, ମହାଶୁଦ୍ଧି ଆଦି ଢାଳି ପବିତ୍ର କଷା ପାଣିରେ ଶୁଦ୍ଧି କରାଗଲା। ଜାତିରେ ମିଶିବା ପାଇଁ ମଙ୍ଗଳଦେଇ ପରଜା ସମାଜକୁ ଏକ ଭୋଜି ଦେବା ସହ ୩ହଜାର ୧ ଟଙ୍କା ଦେଇଥିଲେ। ଏହାପରେ ମଙ୍ଗଳଦେଇଙ୍କୁ ପରଜା ସମାଜରେ ମଙ୍ଗଳବାରରୁ ମିଶାଯାଇଛି ବୋଲି ସଂଘ ସଭ୍ୟ ବନମାଳୀ ଚାଲାଣ, ସମାଜର ସଭାପତି ଭଗବାନ ଜାନୀ, ପରଜା ସମାଜର ଭାତ ନାୟକ, ସଦା ଜାନୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel