Categories: ଜାତୀୟ

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ‘କ୍ୟାଚ୍‌ ଦି ରେନ୍‌’ ନାମରେ ୧୦୦ ଦିନିଆ ଜଳସଂରକ୍ଷଣ ଅଭିଯାନ ଆରମ୍ଭ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜଳସଂରକ୍ଷଣରେ ଆମର ସାମୂହିକ ଦାୟିତ୍ୱକୁ ବୁଝିବା ଲାଗି ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜଗତସିଂହପୁର ଜିଲାର ନାୟକ ସାର୍‌ (ସିଲୁ ନାୟକ)ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଚାହୁଁଥିବା ଯୁବକମାନଙ୍କୁ ନାୟକ ସାର୍‌ ମାଗଣାରେ ମିଲିଟାରୀ ପ୍ରଶିକ୍ଷଣ ଦେଉଛନ୍ତି। ସେ ଜଣେ ମିଶନ ମଣିଷ ବୋଲି ମୋଦି କହିଥିଲେ। ତାଙ୍କ ସଂଗଠନର ନାଁ ମହାଗୁରୁ ବାଟାଲିୟନ। ଶାରୀରିକ ଫିଟ୍‌ନେସଠାରୁ ଆରମ୍ଭ କରି ସାକ୍ଷାତକାର ଓ ଲିଖିତ ପରୀକ୍ଷା ଓ ତାଲିମ୍‌ ପର୍ଯ୍ୟନ୍ତ ସବୁ କିଛି ନାୟକ ସାର୍‌ ଶିଖାଇଥାନ୍ତି। ସେହିପରି ଆତ୍ମନିର୍ଭର ଭାରତ ସମ୍ପର୍କରେ ମୋଦି କହିଥିଲେ, ଏହା କେବଳ ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ଏକ ଜାତୀୟ ଭାବନାରେ ପରିଣତ ହୋଇଛି। ଦେଶରେ ବିଜ୍ଞାନକୁ ଅଧିକ ଲୋକପ୍ରିୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବିଜ୍ଞାନ କେବଳ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗବେଷଣାଗାରରେ ସୀମିତ ନୁହେଁ। ଗବେଷଣାଗାରରୁ ଭୂମି (ଲାବ୍‌ ଟୁ ଲ୍ୟାଣ୍ଡ) ମନ୍ତ୍ରରେ ବିଜ୍ଞାନର ସମ୍ପ୍ରସାରଣ ଲାଗି ମୋଦି ଆହ୍ବାନ ଦେଇଛନ୍ତି। ବିଶ୍ୱର ସର୍ବପୁରାତନ ଭାଷା ତାମିଲ୍‌ ଶିଖିବା ପାଇଁ ଯଥେଷ୍ଟ ପ୍ରୟାସ କରି ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିଥିଲେ। ତାମିଲ ଭାଷା ଅତି ସୁନ୍ଦର ବୋଲି ସେ କହିଥିଲେ।

Share