କ୍ୟାଥଲିକ ଚର୍ଚ୍ଚ ସମଲିଙ୍ଗୀଙ୍କ ପାଇଁ ଖୋଲା ରହିଛି: ପୋପ୍‌…

ଭଟିକାନ ସିଟି,୭।୮ : ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ ଧାର୍ମିକ ନେତା ପୋପ ଫ୍ରାନ୍ସିସ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସମଲିଙ୍ଗୀ ସମେତ ସମଗ୍ର ଏଲଜିବିଟି ସମ୍ପ୍ରଦାୟଙ୍କ ପାଇଁ କ୍ୟାଥୋଲିକ ଚର୍ଚ୍ଚ ଖୋଲା ଅଛି। ପୋପ ଫ୍ରାନ୍ସିସ କହିଛନ୍ତି ଆଧ୍ୟାତ୍ମିକତାର ପଥରେ ସେମାନଙ୍କୁ ସାଥି କରିବା ଆମର କର୍ତ୍ତବ୍ୟ, କିନ୍ତୁ ଏହା କେବଳ ନିୟମ ଅନୁସାରେ କରାଯାଇପାରିବ।

ପୋପ ଫ୍ରାନ୍ସିସ ପର୍ତ୍ତୁଗାଲରେ ଆୟୋଜିତ ବିଶ୍ୱ ଯୁବ ଦିବସ କ୍ୟାଥୋଲିକ ଫେଷ୍ଟିଭାଲରେ ଯୋଗଦେବାକୁ ଯାଇଥିଲେ। ପର୍ତ୍ତୁଗାଲରୁ ରୋମକୁ ଫେରୁଥିବାବେଳେ ବିମାନରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପୋପ ଫ୍ରାନ୍ସିସ ଏହି କଥା କହିଛନ୍ତି।

ଜଣେ ଖବରଦାତା ପୋପ ଫ୍ରାନାନ୍ସିସଙ୍କୁ ପଚାରିଥିଲେ ପର୍ତ୍ତୁଗାଲ ଗସ୍ତ ସମୟରେ ସେ ଏକ ଇଭେଣ୍ଟରେ କହିଥିଲେ ଚର୍ଚ୍ଚ ସମସ୍ତଙ୍କ ପାଇଁ ଖୋଲା ଅଛି। କିନ୍ତୁ ଏହା ଅସଙ୍ଗତ ନୁହେଁ କି ମହିଳା ଏବଂ ସମଲିଙ୍ଗୀମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସ୍ବାଧୀନତା ଦିଆଯାଉ ନାହିଁ। ଅଧିକାର ମିଳି ନାହିଁ? ଏହାର ଉତ୍ତରରେ ପୋପ ଫ୍ରାନ୍ସିସ କହିଛନ୍ତି ଚର୍ଚ୍ଚ ସମସ୍ତଙ୍କ ପାଇଁ ଖୋଲା ଅଛି କିନ୍ତୁ ଚର୍ଚ୍ଚ ଭିତରେ ଜୀବନକୁ ନିୟନ୍ତ୍ରଣ କରୁଥିବା କିଛି ନିୟମ ଅଛି ଏବଂ ସେଗୁଡିକ ପାଳନ କରିବା ଆବଶ୍ୟକ।

ପୋପ ଫ୍ରାନ୍ସିସ କହିଛନ୍ତି ନିୟମ ଅନୁଯାୟୀ, ଏହି ଲୋକମାନେ ଚର୍ଚ୍ଚର କିଛି ସଂସ୍କାରରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହାର ଅର୍ଥ ନୁହେଁ ସେମାନଙ୍କୁ ନିଷେଧ କରାଯାଇଛି । ପୋପ ଫ୍ରାନ୍ସିସ କହିଛନ୍ତି ଯେ ଚର୍ଚ୍ଚ ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଢଙ୍ଗରେ ଭଗବାନଙ୍କ ସାମ୍ନା କରିବାକୁ ପଡିବ। ମହିଳାମାନଙ୍କୁ ଚର୍ଚ୍ଚରେ ପୁରୋହିତ ହେବାକୁ ଅନୁମତି ଦିଆଯାଇ ନାହିଁ। ସେହିଭଳି ସମଲିଙ୍ଗୀ ଦମ୍ପତିମାନଙ୍କୁ ଚର୍ଚ୍ଚରେ ବିବାହ କରିବାକୁ ଅନୁମତି ନାହିଁ।

ପୋପ ଫ୍ରାନ୍ସିସ ଏଲଜିବିଟି ସମ୍ପ୍ରଦାୟଙ୍କୁ ଚର୍ଚ୍ଚଗୁଡ଼ିକରେ ଅଧିକ ସ୍ବାଗତ କରିବା ପାଇଁ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି। ତାଙ୍କର ଗତ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ, ପୋପ ଫ୍ରାନ୍ସିସ ଅନେକ ସଂସ୍କାର ଆଣିଛନ୍ତି, ଯେଉଁଥିରେ ମହିଳାମାନଙ୍କୁ ଚର୍ଚ୍ଚରେ ବିଶେଷ ଭାବରେ ଭଟିକାନ ସହରରେ ଅଧିକ ଭୂମିକା ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଛି।

Share