Categories: ଜାତୀୟ

ମଧ୍ୟାହ୍ନଭୋଜନରେ ମିଳିଲା ଗୋଖାଦ୍ୟ

ପୁଣେ,୧୯।୩: ମହାରାଷ୍ଟ୍ରର ପୁଣେ ଜିଲାରେ ଏକ ସ୍କୁଲ୍‌କୁ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଣ ପରିବର୍ତ୍ତେ ଗୋଖାଦ୍ୟ ପ୍ୟାକେଟ ପଠାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ସ୍କୁଲ୍‌ ପୁଣେ ମ୍ୟୁନିସିପାଲ କର୍ପୋରେଶନ(ପିଏମ୍‌ସି) ଦ୍ୱାରା ପରିଚାଳିତ। ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପିଲାଙ୍କ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏନେଇ ସ୍ଥାନୀୟ କର୍ମଚାରୀଙ୍କୁ ମଧ୍ୟାହ୍ନଭୋଜନ ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ପିଏମ୍‌ସି ପରିଚାଳିତ ୫୮ ନମ୍ବର ସ୍କୁଲ୍‌କୁ ମଧ୍ୟାହ୍ନଭୋଜନ ପାଇଁ ପଠାଯାଇଥିବା ସାମଗ୍ରୀରେ କେତେକ ଗୋଖାଦ୍ୟ ପ୍ୟାକେଟ ଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ଦେଖିବାକୁ ପାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଖାଦ୍ୟ ସୁରକ୍ଷା ଓ ମାନ କର୍ତ୍ତୃପକ୍ଷ (ଏଫଏସ୍‌ଏସ୍‌ଏଆଇ)ର ଅଧିକାରୀମାନେ ପହଞ୍ଚି ଗୋଖାଦ୍ୟକୁ ଜବତ କରିଛନ୍ତି। ମଧ୍ୟାହ୍ନଭୋଜନ ପାଇଁ ଗୋଖାଦ୍ୟ ପଠାଯିବା ଦୁର୍ଭାଗ୍ୟଜନକ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଣେ ମେୟର ମୁରଲୀଧର ସୂଚନା ଦେଇଛନ୍ତି।

Share