ଆନନ୍ଦପୁର,୨୪।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସକୁ ବଡ ସଫଳତା ମିଳିଛି। ନିଶାଦିଆ ଲୁଟେରାଙ୍କ କବଳରେ ରହିଆସିଥିବା ଆନନ୍ଦପୁରବାସୀଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି। ତଦନ୍ତର ଅଗ୍ରଗତି ପରେ ଘଟଣାର ଗୁମର ଫିଟିବ ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ନିଶାଦିଆ ଲୁଟେରାଙ୍କର ଗତିବିଧି ଲକ୍ଷ କରିବା ଓ ସାଦା ପୋଷାକରେ ବିଭିନ୍ନ ସ୍ଥାନରେ ଯାଞ୍ଚପରେ ସୋମବାର ନିଶାଦିଆ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଓଡ଼ଶ ଗ୍ରାମର ବ୍ରଜବନ୍ଧୁ ରଣା । ୫୫ ବର୍ଷୀୟ ବ୍ରଜ ଦୀର୍ଘଦିନ ଧରି ଆନନ୍ଦପୁର ଅଞ୍ଚଳରେ ରହି ବ୍ୟବସାୟୀମାନଙ୍କୁ ନିଶା ଦେଇଲୁଟ କରିବା ବଳବତ୍ତର ରଖିଥିଲେ। ଆନନ୍ଦପୁର ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଲୁଟେରାଙ୍କର ସ୍କେଚ ଜାରି କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ଟେର୍ ପାଇପାରୁନଥିଲା। ଏପରିକି ଲୁଟେରାଙ୍କର ଫଟୋ ଗଣମାଧ୍ୟମ ଦ୍ୱାରା ପ୍ରସାରଣ ହେବା ପରେ ଲୋକମାନେ ଯଥେଷ୍ଟ ମାତ୍ରାରେ ସଚେତନ ହୋଇଥିବାବେଳେ ଲୁଟେରା ଉପରେ ନଜର ମଧ୍ୟ ରଖିଆସିଥିଲେ।
ତାଙ୍କ ନାମରେ ଆନନ୍ଦପୁର ଥାନାରେ କେସ ନଂ. ୧୫୪/୨୩ରେ ଦଫା ୩୯୨, ୩୨୮, ୩୦୭ରେ ମାମଲା ରୁଜୁ ହୋଇଛି। ଲୁଟେରା ବ୍ରଜ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କୁ ଭଦ୍ରକ ଜିଲା ପୋଲିସ ନିକଟକୁ ସ୍ଥାନାନ୍ତର କରାଯାଇଛି। ସବିଶେଷ ତଥ୍ୟ ହାସଲ କରାଯିବା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରେସ୍ ମିଟ୍ ଜରିଆରେ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଦେବକୀ ନାଇକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ପୌରପରିଷଦ ଫକୀରପୁର ସାପ୍ତାହିକ ଗୋରୁ ହାଟରୁ, ବିରିଡିହା ଗ୍ରାମର ଛେଳି ବେପାରୀଙ୍କ ଠାରୁ, ଦୁଇରୁ ତିନି ଜଣ ମୁଢି ବେପାରୀଙ୍କ ଠାରୁ ନିଶାଦେଇ ଲୁଟ୍ କରାଯିବା ଏବଂ ଆନନ୍ଦପୁର ବଡଦାଣ୍ଡର ମାଛ ବେପାରୀ ଚକ୍ରଧର ସିଙ୍କୁ ଚା ରେ ନିଶାଦେଇ ଲୁଟ୍ କରିବା ଭଳି ଅନେକ ଘଟଣା ଆନନ୍ଦପୁର ପୁଲିସ ନଜରରେ ରହିଥିଲା।