ଧରାପଡ଼ିଲେ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗ, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ

ବରଗଡ଼,୭ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଡଙ୍ଗରମୁଣ୍ଡା ଗ୍ରାମର ଇନ୍ଦ୍ର ଭୋଇ(୨୧), ଚୈତନ୍ୟ ପୁଟ୍ଟା(୧୯), ବନାରସ ଗ୍ରାମର ଲଲିତ ସାହୁ(୨୫) ଏବଂ ଡୋଲେଶ୍ବର ସାହୁ(୨୬)। ସେମାନଙ୍କ ପାଖରୁ ନଗଦ ୩ ଲକ୍ଷ ୮୦ହଜାର ଟଙ୍କା, ୫ବାଇକ, ଗୋଟିଏ ପିସ୍ତଲ, ୮ଟି ମୋବାଇଲ ଏବଂ ସୁନା,ରୁପା ଅଳଙ୍କାର ଜବତ ହୋଇଛି। ରବିବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପି.ଏସ୍‌ ମୀନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତମାସ ୨୦ତାରିଖ ଅତାବିରା ଥାନା ବାବେବିରା ଗ୍ରାମର ଛାୟାକାନ୍ତ ପ୍ରଧାନ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଗିରଫ ଅଭିଯୁକ୍ତମାନେ ତାଙ୍କଠାରୁ ୪ ଲକ୍ଷ ୩୮ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ସେ ଅତାବିରା ଥାନାରେ ଏତଲା ଦେବା ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା ଏବଂ ସେହି ଟିମ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ସୋନପୁର ଜିଲାର ଅନେକ ଲୁଟ୍‌ ଘଟଣାରେ ମଧ୍ୟ ସମ୍ପୃକ୍ତ ଅଛନ୍ତି ଏବଂ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।