କେନ୍ଦ୍ରାପଡ଼ା, ୨୫ା୭ (ଜଗନ୍ନାଥ ଧଳ): ୨୦୧୯ରେ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ମହିଳା ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁ ରବିବାର ଧରାପଡ଼ିଛନ୍ତି। ସୋମବାର ଏସ୍ଡିଜେଏମ୍ କୋର୍ଟରେ ହାଜର ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବାରିମୂଳସ୍ଥ ଉପକାରାଗାରକୁ ପଠାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମହେଶ୍ୱରଙ୍କ ସ୍ତ୍ରୀ ଝରଣା ଏବେ ବି ଫେରାର ଅଛନ୍ତି। କେସ ନଂ. ୭୩/ ୧୯ ଅନୁଯାୟୀ ୨୦୧୯ ଜୁନ ୨୮ ମଧ୍ୟ ରାତିରେ ପୀଡିତା ମହିଳାଙ୍କୁ ନିକଟସ୍ଥ ପୋଇପାଟ କ୍ଷେତ ଅଞ୍ଚଳରେ ଗଣ ବଳାତ୍କାର ହୋଇଥିଲା। ପୀଡିତାଙ୍କୁ ମୁମୁର୍ଷୁ ଅବସ୍ଥାରେ ପରଦିନ ସକାଳେ ଉଦ୍ଧାର କରାଯାଇଥିଲା। ଏହି ଗଣବଳାତ୍କାରରେ ୭ ଜଣଙ୍କ ନାମରେ ନିକିରାଇ ଥାନାରେ ମାମଲା ହୋଇଥିଲା। ଇତିମଧ୍ୟରେ ମାମଲାର ଶୁଣାଣି ପରେ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ମଲ୍ଲିକଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଥାନାରେ ମାମଲା ପୂର୍ବରୁ ମହେଶ୍ୱର ଓ ଝରଣା ଫେରାର ହୋଇ ଯାଇଥିଲେ। ତେବେ ମହେଶ୍ୱରଙ୍କ ମା’ଙ୍କ ଦେହାନ୍ତ ପରେ ଦଶାହ ସଂସ୍କାର ପାଇଁ କଳସପୁର ଗ୍ରାମକୁ ଆସିଥିଲେ। ପୋଲିସ ସେଠାରୁ ତାଙ୍କୁ ଗିରଫ କରିଥିଲା। ଏକ ଜମିଜମା ଗଣ୍ଡଗୋଳ ପାଇଁ ଏହି ଗଣବଳାତ୍କାର ହୋଇଥିବା ମାମଲାର ତଦନ୍ତରୁ ଜଣାପଡ଼ିଥିଲା।