Categories: ଜାତୀୟ

ସିଆରପିଏଫ୍‌ କ୍ୟାମ୍ପ ଉପରେ ବୋମା ପକାଇଲେ ବୁର୍ଖା ପିନ୍ଧିଥିବା ମହିଳା

ଶ୍ରୀନଗର,୩୦।୩: ଜମ୍ମୁ-କଶ୍ମୀରର ବାରାମୁଲା ଜିଲାର ସପୋରେ ସହରରେ ଥିବା କ୍ରେନ୍ଦୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର କ୍ୟାମ୍ପ ଉପରେ ମଙ୍ଗଳବାର ସନ୍ଧ୍ୟାରେ ବୋମା ମାଡ଼ ହୋଇଛି। ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣେ ବୁର୍ଖା ପିନ୍ଧିଥିବା ମହିଳା ବୋମା ମାଡ଼ କରିଥିବା ଜଣାପଡ଼ିଛି।

ଫୁଟେଜରେ ମହିଳା ଜଣଙ୍କ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କ୍ୟାମ୍ପ ଆଗରେ ଛିଡ଼ା ହୋଇଥିଲେ। ତା’ ପରେ ପର୍ସରୁ ବୋମା ବାହାର କରି କ୍ୟାମ୍ପକୁ ଫୋପାଡ଼ି ଥିଲେ। ବିସ୍ଫୋରଣର ତୁରନ୍ତ ପରେ ସେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଛି।

ବୋମାଟି ସୁରକ୍ଷା କ୍ୟାମ୍ପ ବାହାରେ ମାଡ଼ ହେବାରୁ କେହି ମୃତାହତ ହୋଇ ନାହାନ୍ତି। ଆକ୍ରମଣ ପରେ ସେହି ଅଞ୍ଚଳକୁ ତୁରନ୍ତ କରି କର୍ଡନ କରି ଦିଆଯାଇଥିଲା। ବୁର୍ଖାଧାରୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାଙ୍କୁ ଧରିବା ଲାଗି ବଡ଼ ଧରଣ ସର୍ଚ୍ଚ ଅପରେଶନ ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share