ହାଇଦ୍ରାବାଦ, ୨୧।୨: ତେଲଙ୍ଗାନାର ଜନଜାତି କଲ୍ୟାଣ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କେ. ଜଗା ଜ୍ୟୋତି ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଆଧିକାରିକ ସ୍ତରରେ ଲାଭ ପହଞ୍ଚାଇବା ପାଇଁ ୮୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜ୍ୟୋତିଙ୍କୁ ଧରିଛି ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)।
ଏସିବିର ସୂଚନା ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ଲାଞ୍ଚ ନେଉଥିବା ସମୟରେ ଜ୍ୟୋତିଙ୍କୁ ଧରିବାରେ ସଫଳ ହୋଇଥିଲା ଏସିବି। ତେବେ ଲାଞ୍ଚ ନେଇ ଧରାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତରରେ ଜ୍ୟୋତି କାନ୍ଦିବାକୁ ଲାଗିଥିଲେ। ଏସିବିର କହିବା ଅନୁଯାୟୀ ଜ୍ୟୋତି ଅନ୍ୟକୁ ଲାଭ ଦେବା ଉଦ୍ଦେଶ୍ୟରେ ଲାଞ୍ଚ ନେବା ସହ ନିଜ କାର୍ଯ୍ୟରେ ବେଇମାନି କରିଥିଲେ।
ମହିଳା ଅଧିକାରୀଙ୍କୁ ଠାରୁ ୮୪ ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସେ ପୋଲିସର ହେପାଜତରେ ଥିବାବେଳେ ବୁଧବାର ତାଙ୍କୁ ହାଇଦ୍ରାବାଦର ଏକ ବିଶେଷ ଅଦାଲତରେ ହାଜର କରାଯିବ।