୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ: ନିର୍ବାଚନ କାର୍ଯ୍ୟରେ ଯୋଗଦେଇନାହାନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୭।୨(ଡି.ଏନ.ଏ): ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ। ଏହି କାର୍ଯ୍ୟ ସମ୍ପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ। ଗଞ୍ଜାମ ଜିଲାରେ ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ନିର୍ବାଚନ କାର୍ଯ୍ୟ ପାଇଁ ନିଯୁକ୍ତି ପାଇ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଯଦି ତାଙ୍କ କାର୍ଯ୍ୟାଳୟର ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ କାର୍ଯ୍ୟରୁ ରିଲିଭ କରି ନାହାନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ନିର୍ବାଚନ ଆଇନ ଅନୁଯାୟୀ କୈଫିୟତ ମଗାଯାଇଛି। ଯଦି ସେହି ଅଧିକାରୀ, କର୍ମଚାରୀ କୌଣସି କାରଣ ନ ଥାଇ ଜାଣିଶୁଣି ଏହି ସାମ୍ବିଧାନିକ କାର୍ଯ୍ୟରେ ଅବହେଳା କରିଛନ୍ତି, ସେମାନଙ୍କୁ ସରକାରୀ କାର୍ଯ୍ୟରୁ ଅପସାରଣ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ତାହାର ନକଲ ସଂପୃକ୍ତ ଅଞ୍ଚଳର ପୋଲିସ ବିଭାଗକୁ ପ୍ରେରଣ କରାଯାଇଛି । ନୋଟିସ ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହେବ ।