ଜାତୀୟ ରାଜପଥରେ ବୁଲାଗୋରୁ ଦୁର୍ଘଟଣାର କାରଣ

ଗୋପାଳପୁର,୨୮ା୮(ନବୀନରାଜ ଆଚାରୀ): ଆନ୍ଧ୍ରପ୍ରଦେଶ ଏବଂ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ଏବେ ବୁଲା ଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଯାତାୟତରେ ବ୍ୟାପକ ବାଧା ସୃଷ୍ଟି ହେଉଛି। ଗାଡି ମୋଟର ଧକ୍କାରେ ଗୋରୁ ଗାଈ ଗୁରୁତର ଆହତ ହେବା ସହ ପ୍ରାଣ ହରାଉଛନ୍ତି। ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଚଟି ଛକ, ରଣ୍ଢା, କନିଷି, ହଳଦିଆପଦର ଆଦି ଜନଗହଳିପୂର୍ଣ୍ଣ ଛକ ଦେଇ ରାଜପଥ ଯାଇଥିବା ବେଳେ ଦୈନିକ ଶତାଧିକ ଲୋକ ବିଭିନ୍ନ କାମରେ ଯାତାୟତ କରନ୍ତି। ବହୁ ସଂଖ୍ୟାରେ ଗାଡ଼ି ମୋଟର ଚଳାଚଳ ହେଉଛି। ତେବେ ଦିନ ରାତି ଗାଈ ଗୋରୁ ଛକଗୁଡ଼ିକୁ କବଜା କରି ରଖୁଥିବାରୁ ଯାତାୟତରେ ଅସୁବିଧା ହେଉଛି। ଗୋରୁ ପାଳନ କରିଥିବା ଗ୍ରାମାଞ୍ଚଳ ଲୋକେ ନିଜ ନିଜ ଗୋରୁଙ୍କୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି। ସେମାନଙ୍କ ଉପରେ ପ୍ରଶାସନ କିମ୍ବା ରାଜପଥ କର୍ତ୍ତୃପକ୍ଷ ଦ୍ୱାରା କୌଣସି କଟକଣା ଜାରି କରାଯାଉନାହିଁ। ଫଳରେ ଗୋରୁପଲ ଜାତୀୟ ରାଜପଥ ଉପରେ ମଧ୍ୟ ଶୋଇ ରହୁଛନ୍ତି। ଆଗାମୀ ଦିନରେ ଯଦି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନ ନିଆଯାଏ ତେବେ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେଣୁ ଏଥିପ୍ରତି ଦୃଷ୍ଟିଦେବା ଓ ଗାଈ ମାଲିକ ଉପରେ ଅଙ୍କୁଶ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି।