Categories: ଜାତୀୟ

ଦୁର୍ଘଟଣାର କାରଣ ରେଳଲାଇନ୍‌ରେ ଫାଟ

ନୂଆଦିଲ୍ଲୀ,୧୩ା୧୦: ବିହାରର ବକ୍ସାର ଜିଲାରେ ବୁଧବାର ରାତିରେ ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ର ୨୩ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ୍‌ (ନଂ.୧୨୫୦୬)ର ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ ଆସାମର କାମାକ୍ଷା ଅଭିମୁଖେ ଯାତ୍ରା କରୁଥିବା ବେଳେ ବକ୍ସାର ଜିଲାର ରଘୁନାଥପୁର ଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ରେଳଲାଇନ୍‌ରେ ଫାଟ ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି କୁହାଯାଉଛି। ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ଜଣେ ଅଧିକାରୀ ଏହା କହିଛନ୍ତି। ରେଲ୍‌ଓ୍ବେ ପକ୍ଷରୁ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଇଥିଲା। ଉକ୍ତ ରିପୋର୍ଟରେ ୬ ଜଣ ଅଧିକାରୀ ସ୍ବାକ୍ଷର କରିଛନ୍ତି।

ଦୁର୍ଘଟଣା ଯୋଗୁ ୫୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଦୁର୍ଘଟଣାରେ ଡ୍ରାଇଭର ବିପିନ କୁମାର ସିହ୍ନା ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ସହଯୋଗୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣାବେଳେ ଟ୍ରେନ୍‌ର ବେଗ ଘଣ୍ଟାପ୍ରତି ୧୨୮ କିଲୋମିଟର ଥିଲା। ଷ୍ଟେଶନ ଅତିକ୍ରମ କରିବା ପରେ ଏହାର ପଛ ଭାଗରେ ଏକ ବଡ଼ ଝଟ୍‌କା ହେବା ସହ କମ୍ପନ ଅନୁଭବ ହୋଇଥିଲା ବୋଲି ଡ୍ରାଇଭର ସିହ୍ନା କହିଛନ୍ତି। ଝଟକା ଓ କମ୍ପନ ଯୋଗୁ ବ୍ରେକ୍‌ ପାଇପ୍‌ ଚାପ ହଠାତ୍‌ କମିଯିବାରୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା ବୋଲି ଡ୍ରାଇଭର କହିଛନ୍ତି।

Share