ଡ. ଶରତ ଚନ୍ଦ୍ର ରଥ
ପ୍ରକୃତିର ଚାରୁ ଚିତ୍ରଶାଳା ଏ ପୃଥିବୀ। ସମୁଦ୍ରର ନୀଳତରଙ୍ଗ, ନଦୀର ଧାର, ଝରଣାର କୁଳୁକୁଳୁ ଗାନ, କୋଇଲିର କୁହୁକୁହୁ ତାନ, ବାରୁଣୀ କିରଣର ଲାଲିମା, ସଜ ସକାଳର ଧୀର ପବନରେ ଝୁଲାଝୁଲା ଅରୁଣିମା, ଦିଗନ୍ତ ବିସ୍ତାରୀ ଶସ୍ୟକ୍ଷେତ୍ରର ସବୁଜିମା, ଫୁଲ ଫଗୁଣର ବାସନ୍ତି ବିଭା, ଗ୍ରୀଷ୍ମ ମଧ୍ୟାହ୍ନରେ କୃଷ୍ଣଚୂଡ଼ାର ଶୋଭା, ଜହ୍ନରାତିର ରଜତକାନ୍ତି, ପାହାନ୍ତ ପହରର ଶୀତଳ ଶାନ୍ତି, ଅପୂର୍ବ ଆନନ୍ଦ ଭରିଦିଏ ମନରେ। ତାହା ପ୍ରାଣରେ ଆଣେ ପୁଲକ ଏବଂ ଦେହରେ ଶିହରଣ।
କେତେ ପ୍ରକାରର ବୃକ୍ଷଲତା, ତା’ର ଗଣନା କେହି କରିନି। ପ୍ରତି ବୃକ୍ଷଲତାରେ ଭିନ୍ନ ଭିନ୍ନ ପ୍ରକାରେ ପତ୍ରସଜ୍ଜା, ଉଦ୍ଭିଦ ଜଗତରେ କେତେ ରଙ୍ଗର ଫୁଲ, କେତେ ବାସ୍ନାର ଫୁଲ, କେତେ ରସର ଫଳ କିଏ ଦେଇଛି? ସେ କିଏ? ସେ ଆଉ କେହି ନୁହେଁ, ବିଶ୍ୱ ପ୍ରକୃତି। ସମଗ୍ର ପ୍ରାଣିଜଗତ ଏଇ ବିଶ୍ୱ ପ୍ରକୃତିର ସୃଷ୍ଟିରେ ଅନ୍ତର୍ଭୁକ୍ତ।
ମନୁଷ୍ୟ ଏଇ ପ୍ରକୃତିର ଏକ ସୁଷମ ସୃଷ୍ଟି। ଅଛି ତା’ ପାଖରେ ବିଚାରଶକ୍ତି, ବିବେକଶକ୍ତି ଏବଂ ବିପୁଳ ମନୋବଳର ଶକ୍ତି। ମଣିଷର ମନ ସୁଚିନ୍ତା କରିପାରେ, କୁଚିନ୍ତା ମଧ୍ୟ କରିପାରେ। ଏ ବାବଦରେ ସେ ସ୍ବାଧୀନ। ଚାହିଁଲେ ସେ ସୁଚିନ୍ତା କରିପାରିବ, ଚାହିଁଲେ କୁଚିନ୍ତା ମଧ୍ୟ। ଚାହିଁଲେ ଅନ୍ୟର କ୍ଷତି କରିପାରିବ, ଚାହିଁଲେ ଅନ୍ୟର କଲ୍ୟାଣ କରିପାରିବ। ତେବେ କୁଚିନ୍ତା ଆସେ, ଅହଂକାର ଯୋଗୁଁ ଯାହାର ଅହଂଭାବ ଯେତେ ଅଧିକ ତାହାର ଅନ୍ୟର କ୍ଷତି ଚିନ୍ତା ସେତେ ଅଧିକ। ଯାହା ଭିତରେ ସଂକୀର୍ଣ୍ଣତା ଯେତେ ଅଧିକ, ତା’ ମନରେ ଅନ୍ୟର ଅନିଷ୍ଟ ଚିନ୍ତା ସେତେ ଅଧିକ। ଅହଂଭାବର ଏକ ରୂପ ହେଉଛି ସଂକୀର୍ଣ୍ଣତା। ଅନ୍ୟର କ୍ଷତି ଚିନ୍ତା କରିବା ଓ ଅନ୍ୟର କ୍ଷତି କରିବା ଆଦୌ ବୀରତ୍ୱର ଚିହ୍ନ ନୁହେଁ ଅଥବା ବ୍ୟକ୍ତିତ୍ୱର ପରିଚୟ ନୁହେଁ, ବରଂ ଏହା ହୀନମଣ୍ୟତା ଓ ନୀଚ ମାନସିକତାର ଚିହ୍ନ। ଯେଉଁମାନେ ଅନ୍ୟର ଅନିଷ୍ଟ କରୁଥା’ନ୍ତି, ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ହୀନ, ନଗଣ୍ୟ, ନୀଚ ଓ ଅଜ୍ଞାନ।
ଅନ୍ୟର ଅନିଷ୍ଟ ବହୁ ପ୍ରକାରରେ କରାଯାଇପାରେ। ଲୁଟତରାଜଠାରୁ ଆରମ୍ଭ କରି ଚୋରି ବାଟ ଦେଇ ଡକାୟତି ପର୍ଯ୍ୟନ୍ତ ଏଇ ଅନିଷ୍ଟର ଚେର ଲମ୍ବିପାରେ। ବେକରୁ ହାର ଝିଙ୍କିନେବା, ହାତରୁ ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେବାଠାରୁ ଆରମ୍ଭ କରି ଅନ୍ୟର ଜମି, ଜାଗାରୁ ହାତେ ଚାଖଣ୍ଡେ ନେଇଯିବା ପର୍ଯ୍ୟନ୍ତ ଏଇ ଅନିଷ୍ଟକର କାର୍ଯ୍ୟର ଅନ୍ତର୍ଭୁକ୍ତ। ଅନ୍ୟକୁ ମିଛ ପ୍ରଲୋଭନ ଦେଖାଇ ଠକିଠାକି ଦି’ ପଇସା ପକାଇଦେବା, ଅନ୍ୟକୁ ଅସୁବିଧାରେ ପକାଇ ଫାଇଦା ଉଠାଇବା, କ୍ଷମତା ପ୍ରୟୋଗ କରି ଅନ୍ୟକୁ ହଇରାଣ ହରକତ କରିବା, ଅନ୍ୟର ମାନ ସମ୍ମାନ ହାନି ହେଲା ଭଳି କାର୍ଯ୍ୟକରିବା ଯେ କେତେ ନୀଚ, ହୀନ ଓ କୁତ୍ସିତ କାର୍ଯ୍ୟ ତା’ର କଳନା ନାହିଁ। ମଣିଷଠାରୁ ବସ୍ତୁ ଭିଡ଼ ନେଇ ତାକୁ ପୁଣି ଲୁଟେରାମାନେ ଏପରି ବାଗରେ ଠେଲି ଦେଉଛନ୍ତି ଯେ, ପଡ଼ିଯିବା ଲୋକଟି ସହଜରେ ଉଠି ପାରୁନାହିଁ। ହାତଗୋଡ଼ ଭାଙ୍ଗିଯିବା, ମୁଣ୍ଡ ଫାଟିଯିବା ପର୍ଯ୍ୟନ୍ତ କଥାଯାଉଛି। ଦେବଶିଶୁ ହୋଇ ମଣିଷ ଏତେ ଅକାର୍ଯ୍ୟ କରେ କିପରି ଭାବିଲେ ଆଶ୍ଚର୍ଯ୍ୟ ଲାଗେ।
ହୀନକାର୍ଯ୍ୟ କରୁଥିବା ମଣିଷ କେତେ ହିଂସ୍ର ହୋଇଛି ସତେ! ପଶୁଠାରୁ ମଧ୍ୟ ଅଧିକ ହିଂସ୍ର ହୋଇଛି। ମଣିଷର ହିଂସ୍ରତାର ହାତ ଲମ୍ବିଯାଇଛି କୁନିକୁନି ପିଲାଙ୍କର ସର୍ବନାଶ ପର୍ଯ୍ୟନ୍ତ। କୁନିକୁନି ପିଲାମାନେ ହଜି ଯାଉଛନ୍ତି ଆଜିକାଲି, ହଜିଯାଉଛନ୍ତି ଯେ ଯାଉଛନ୍ତି ଆଉ ଖୋଜି ଖୋଜି ମିଳୁନାହାନ୍ତି, ପୂରାପୂରି ନିଖୋଜ ହୋଇ ଯାଉଛନ୍ତି। ଆଉ କେତେକଙ୍କର ମିଳୁଛି କ୍ଷତାକ୍ତ ଶବ। କେଡ଼େ ନିରୀହ ନିର୍ଦ୍ଦୋଷ ଶିଶୁଙ୍କର ହତ୍ୟା, କେଡ଼େ ଦାରୁଣ ହିଂସ୍ରତାର କ୍ରିୟାକଳାପ ଫଳ, ଭାବିଲେ ମଥା ପୂରିଯାଏ। ଏଇ ମଣିଷର ହାତ କିପରି ଯାଉଛି ଦେବଶିଶୁମାନଙ୍କୁ ଚାଲାଣ କରି ଦେବା ପାଇଁ ନରସଂହାରୀମାନଙ୍କ ହାତରେ! କେତେ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ସହିତ ହତ୍ୟାର ଶିକାର ହେଉଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୮ ଓ ୨୦୧୯ ମସିହାରେ ଆମ ରାଜ୍ୟରେ ଶହ ଶହ ସଂଖ୍ୟକ ଶିଶୁଙ୍କର ପତ୍ତା ମିଳୁନାହିଁ।
ମାଛିର ଦୃଷ୍ଟି ଯେପରି ମଇଳା ଆଡ଼କୁ ସ୍ବତଃ ଆକୃଷ୍ଟ ହୁଏ, ହିଂସ୍ର ମଣିଷର ଦୃଷ୍ଟି ସେପରି ଅନ୍ୟର କ୍ଷତି ଓ ସର୍ବନାଶ ଆଡ଼କୁ ଆକୃଷ୍ଟ ହୋଇଥାଏ। ସେ ଖୋଜି ବୁଲୁଥାଏ ଅନ୍ୟର ଅନିଷ୍ଟ କରିବାର ବାଟ। ଏପରି ମାନସିକତାରୂପକ ବ୍ୟାଧି ପାଇଁ ଔଷଧ ହେଉଛି ତ୍ୱରିତ ନ୍ୟାୟିକ ଦଣ୍ଡବିଧାନ। ତେବେ ବ୍ୟାଧି ନ ହେବା ପାଇଁ ପ୍ରତିଷେଧକ ମଧ୍ୟ ରହିଛି। ତାହା ହେଉଛି ପାରିବାରିକ ଶିକ୍ଷା ଓ ଆନୁଷ୍ଠାନିକ ଶିକ୍ଷା। ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେବା ଆବଶ୍ୟକ ପରିବାରରୁ। ପରିବାରରେ ଯଦି ସଂସ୍କାର ନାହିଁ, ତେବେ ସଂସ୍କାର ଶିଖିବା ପିଲାଟି ପକ୍ଷରେ ସମ୍ଭବ ହେବ ନାହିଁ। ଅତଏବ ପ୍ରଥମେ ପରିବାରରେ ମାତାପିତା ଓ ଅଭିଭାବକ ସଂସ୍କୃତିସମ୍ପନ୍ନ ହେବା ଆବଶ୍ୟକ। ସେମାନଙ୍କ ଭିତରେ ମଣିଷପଣିଆ ତଥା ସାମାଜିକ ମୂଲ୍ୟବୋଧ ଥିବା ଏକାନ୍ତ ଜରୁରୀ। ଜୀବନ ଚିନ୍ତା ନ ଥିଲେ ମାନବିକତା ଆସେ ନାହିଁ। କେବଳ ଭଲ ଖାଇବା, ଭଲ ପିନ୍ଧିବା ଓ ଭଲରେ ରହିବାର ଚିନ୍ତା ଥିବା ପରିବାରରେ ପ୍ରାୟତଃ ଜୀବନ ଚିନ୍ତା ନଥାଏ। ଭଲ ଖାଇବା, ଭଲ ପିନ୍ଧିବା ଓ ଭଲରେ ରହିବା ଆଦୌ ଭୁଲ କଥା ନୁହେଁ। ମାତ୍ର ଅନ୍ୟର କ୍ଷତି ନ କରିବା, ଅନ୍ୟକୁ ନ ଠକିବା, ଏଥିସହିତ ମିଶିଥିବା ଆବଶ୍ୟକ। ଏପରିକି ଦେଶର କ୍ଷତି ନ କରିବା ଏବଂ ଦେଶର ଧନକୁ ଅପହରଣ ନ କରିବା ଏହାର ଅନ୍ତର୍ଭୁକ୍ତ।
ପାରିବାରିକ ପରିବେଶ ଭିତରେ ମଧୁରତା, ପାରସ୍ପରିକ ସଦ୍ଭାବ, ପାରସ୍ପରିକ ସହଯୋଗ ଥିଲେ ପିଲାଟିଏ ଭଲ କଥାସବୁ ଦେଖିଦେଖି ଶିଖିଯାଏ। ସେ ବୁଝିଯାଏ ସହାନୁଭୂତିର ମହତ୍ତ୍ୱ ଏବଂ ତା’ର ମନୋବୃତ୍ତି ସକାରାମତ୍କ ହୋଇଥାଏ। ସେ ଜୀବନରେ ଅନ୍ୟମାନଙ୍କ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିଥାଏ। ତା’ ମନୋବୃତ୍ତିରେ ନିଷ୍ଠୁରତା ନ ଥାଏ, ହିଂସ୍ରତା ନଥାଏ। ଦୁଷ୍କର୍ମ ଓ ହତ୍ୟା ପରି ନିର୍ମମ କାର୍ଯ୍ୟ ପାଇଁ କୌଣସି ଭାବନା ମଧ୍ୟ ତା’ ମନ ଭିତରକୁ ପଶିପାରେ ନାହିଁ।
ବେଳେବେଳେ ପ୍ରଶ୍ନ ଆସେ ସଙ୍ଗଦୋଷରୁ କ’ଣ ହିଂସ୍ରତା, ନିଷ୍ଠୁରତା ତଥା ଅମାନବିକତା ଆସେ ନାହିଁ। ଉତ୍ତରରେ କୁହାଯାଇପାରେ ଯେ, ଅବଶ୍ୟ ସଙ୍ଗଦୋଷ ଅତି ସାମାନ୍ୟ ଭାବରେ ପ୍ରଭାବିତ କରିପାରେ, ମାତ୍ର ସୁନାକୁ ପିତଳ କରିପାରେ ନାହିଁ, ଆଦୌ କରିପାରେ ନାହିଁ। ଯେଉଁ ସାମାନ୍ୟ ପ୍ରଭାବ ପଡ଼େ ତାହା ଆଦୌ କାର୍ଯ୍ୟକାରୀ ହୁଏ ନାହିଁ, ସଂସ୍କାରିତ ଭିତ୍ତିଭୂମି ଯୋଗୁ କୁପ୍ରଭାବ ରହେ ନାହିଁ, ସହସା ଅପସରିଯାଏ। କୁଭାବନା ତା’ର ଭିତରକୁ ପଶିପାରେ ନାହିଁ। କ୍ରମେକ୍ରମେ ପିଲାଟି ନିଜକୁ କୁସଙ୍ଗରୁ ମୁକ୍ତ କରେ।
ପାରିବାରିକ ଶିକ୍ଷା ସହିତ ପିଲାମାନଙ୍କର ସ୍ବାଧୀନତା ମଧ୍ୟ ରହିବ। ମୋବାଇଲ ପରି ଆବଶ୍ୟକ ମାଧ୍ୟମ ଯୁବଶକ୍ତି ପାଖରେ ରହିବ, ମାତ୍ର ତାହାର ଅପବ୍ୟବହାର ହେବ ନାହିଁ। ଫଳରେ ଉଦ୍ଭ୍ରାନ୍ତ ହେବାର ଅବକାଶ ରହିବ ନାହିଁ। ମନରେ ଉଦ୍ଭଟ ଚିନ୍ତା ଓ କଳ୍ପନା ରହିବ ନାହିଁ। ପିଲାଟିଏ ଅନ୍ୟମାନଙ୍କ ପ୍ରତି ସଚେତନ ରହିବା ସହିତ ନିଜ ପ୍ରତି ମଧ୍ୟ ସଚେତନ ରହିବ। ତା’ର ଆଦର୍ଶ ଏପରି ହେବା ଆବଶ୍ୟକ, ଯେପରି ସେ କାହାକୁ ଠକିବ ନାହିଁ ଏବଂ ନିଜେ କେଉଁଠି ଠକି ହେବ ନାହିଁ। ସେ କାହାକୁ ଅପମାନିତ କରିବ ନାହିଁ ଏବଂ ନିଜେ ଅପମାନିତ ହେଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ସେ ଅନ୍ୟର କ୍ଷତି କରିବ ନାହିଁ ଅଥବା ଅନ୍ୟମାନେ ତା’ର କ୍ଷତି କରିବାର ସୁଯୋଗ ସେ କାହାକୁ ଦେବ ନାହିଁ। ଅନ୍ୟମାନଙ୍କୁ ହୀନ, ସାନ, ସାମାନ୍ୟ ଭାବୁ ନ ଥିବ କିମ୍ବା ନିଜକୁ ସାନ, ହୀନ ମଧ୍ୟ ଭାବୁ ନ ଥିବ। ନିଜେ ଯାହା, ସେ ନିଜକୁ କେବଳ ତାହାହିଁ ଭାବୁଥିବ। ଅହଂକାରରେ ଫାଟିପଡୁ ନ ଥିବ କିମ୍ବା ହୀନମଣ୍ୟତାରେ ଦବି ଯାଉ ନ ଥିବ। ଅନ୍ୟକୁ ବୃଥାରେ ଉଦ୍ବେଗ ଦେଉ ନ ଥିବ କିମ୍ବା ନିଜେ ମଧ୍ୟ ଉଦ୍ବେଗରେ ରହୁ ନ ଥିବ। ଖାଲି ମାର୍କ ପୁଳାଏ ପାଇବା ପାଇଁ ପାଠ ଘୋଷୁ ନ ଥିବ, ମାର୍କ ସହିତ ଜୀବନକୁ ବୁଝିବା ପାଇଁ ଚେଷ୍ଟା କରୁଥିବ। ସବୁଠାରୁ ବଡ଼ କଥା ହେଉଛି ପିଲାଟିଏ ବାହାରେ ଓ ଭିତରେ ଖୁସି ରହୁଥିବ। ସଚେତନ ଥିବ, ସ୍ବଚ୍ଛତା ପ୍ରତି କାରଣ ସେ ବୁଝୁଥିବ ଯେ ସ୍ବଚ୍ଛତା ହିଁ ସୁସ୍ଥତାର ଅନ୍ୟନାମ। ଶରୀରର ସ୍ବଚ୍ଛତା, ମନର ସ୍ବଚ୍ଛତା ଏବଂ ସର୍ବୋପରି ପରିବେଶର ସ୍ବଚ୍ଛତା ପ୍ରତି ସେ ସଚେତନ ଥିବ।
ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ସେ ସକରାମତ୍କ ମନୋଭାବ ଶିଖିପାରିବ। ଶିକ୍ଷାନୁଷ୍ଠାନର ପ୍ରଭାବ ଆଦୌ ସାମାନ୍ୟ ନୁହେଁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଚିନ୍ତାଧାରା ଓ ଚେତନା ପ୍ରବାହ ତଥା ଦିଗ୍ଦର୍ଶନ ପିଲାମାନଙ୍କୁ ଯଥାର୍ଥ ମାର୍ଗ ଦେଖାଇବାର ବହୁ ଉଦାହରଣ ରହିଛି।
ଅତଏବ ପରିବାର ଏବଂ ଶିକ୍ଷାନୁଷ୍ଠାନ- ଏହି ଦୁଇଟି ମୁଖ୍ୟ ଶିକ୍ଷାକେନ୍ଦ୍ର ଭାବରେ ପିଲାଟି ପାଇଁ ଗ୍ରହଣୀୟ। ଦୁଇ ଶିକ୍ଷା କେନ୍ଦ୍ରର ମହତ୍ତ୍ୱ ଅସାଧାରଣ। ଦୁଇ ଅନୁଷ୍ଠାନକୁ ଅର୍ଥାତ୍ ପରିବାରକୁ ଏବଂ ଶିକ୍ଷାନୁଷ୍ଠାନକୁ ମଣିଷଗଢ଼ା କାରଖାନା କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରାକ୍ତନ ପ୍ରଫେସର,
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର
ମୋ-୯୪୩୭୭୫୬୨୪୦