କଟକ ଅଫିସ,୧।୩: କଟକ ପ୍ରେସ୍ ଛକସ୍ଥିତ ସଂଗ୍ରାମୀ ଗ୍ୟାସ୍ ପକ୍ଷରୁ ଖାନ୍ନଗର ହାଇସ୍କୁଲଠାରେ ଏଲପିଜି ନିରାପତ୍ତା ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ତଥା ସ୍କାଉଟ୍ସ ଜିଲା ମୁଖ୍ୟ କମିଶନର କୃଷ୍ଣଚନ୍ଦ୍ର ନାୟକ ଏହାକୁ ଉଦ୍ଘାଟନ କରିଥିଲେ। ସାଲେପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରରେ ମୁଖ୍ୟବକ୍ତା ଭାବେ ଏସିପି ଅମରେନ୍ଦ୍ର ପଣ୍ଡା ଯୋଗଦେଇ ଗ୍ୟାସ୍ ବ୍ୟବହାରବେଳେ ସୁରକ୍ଷା ଓ ନିରାପତ୍ତା ପ୍ରତି ଯତ୍ନବାନ୍ ହେଲେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି କହିଥିଲେ। ସଂଗ୍ରାମୀ ଗ୍ୟାସ୍ର ସ୍ବତ୍ୱାଧିକାରୀ ବିଶ୍ୱନାଥ ମୁଖାର୍ଜୀ ସ୍ବାଗତ ଭାଷଣ ଦେଇ ଏଲ୍ପିଜିର ନିରାପତ୍ତା ଆବଶ୍ୟକତା ଉପରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଆଇଓସିଏଲର ସାଧାରଣ ପରିଚାଳକ ଏନ୍. କୋନର ଯୋଗଦେଇ ଏଲପିଜି ଘରୋଇ ବ୍ୟବହାରବେଳେ ବିଭିନ୍ନ ଦିଗ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରାଜ କିଶୋର ମହାପାତ୍ର ଧନ୍ୟବାଦ ଦେଇଥିଲେ।