Categories: ଜାତୀୟ

କାବେରୀ ଜଳ ବିବାଦ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ, ସିଡବ୍ଲୁଏମଏରେ ଆବେଦନ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ,୩୦।୯: କାବେରୀ ନଦୀର ଜଳ ଛାଡିବା ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। କର୍ନାଟକ ସରକାର ଏହାର ପୁନର୍ବିଚାର ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲୁଏମଏ) ଏବଂ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ସେ ଶନିବାର ପୁନର୍ବିଚାର ପିଟିଶନ ଦାଖଲ କରିବେ।

ସିଡବ୍ଲୁଏମଏ ଶୁକ୍ରବାର କର୍ନାଟକରୁ ତାମିଲନାଡୁକୁ ୩୦୦୦ କ୍ୟୁସେକ ଜଳ ଛାଡିବାକୁ କହିଥିବା କବେରୀ ଜଳ ନିୟମନ କମିଟି (ସିଆରଡବ୍ଲ୍ୟସି)ର ନିର୍ଦ୍ଦେଶକୁ ସମର୍ଥନ କରିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ସ୍ପଷ୍ଟ ଭାବେ କହିଛନ୍ତି ଯେ, କର୍ନାଟକରେ ପର୍ଯ୍ୟାପ୍ତ ପାଣି ନାହିଁ। ସେଥିପାଇଁ ସେ ପାଣି ଦେଇ ପାରିବେ ନାହିଁ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ରାଜ୍ୟର ପୂର୍ବତନ ଆଡଭୋକେଟ ଜେନେରାଲଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଘର କାର୍ଯ୍ୟାଳୟରେ ଖବରଦାତାମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ, କିଛି ମତାମତ ଏବଂ ପରାମର୍ଶ ଗ୍ରହଣ କରାଯାଇଛି। ରାଜ୍ୟର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଏକ ବିଶେଷଜ୍ଞ ପରାମର୍ଶଦାତା କମିଟି ଗଠନ କରିବାକୁ ସରକାରଙ୍କୁ ବିଶେଷ ଭାବେ ପରାମର୍ଶ ଦିଆଯାଇଛି।

Share