Categories: ଜାତୀୟ

ଓ୍ବାଙ୍ଖଡ଼େଙ୍କ ବିରୋଧରେ ସିବିଆଇ ଏତଲା

ମୁମ୍ବାଇ, ୧୬ା୫: ୨୫ କୋଟି ଟଙ୍କା ନ ଦେଲେ ନିଶା କାରବାର ଅଭିଯୋଗରେ ପୁଅ ଆର୍ୟନ ଖାନ୍‌ଙ୍କ ବିରୋଧରେ ମାମଲା ଦାଏର କରାଯିବ ବୋଲି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପରିବାରକୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େ ଧମକ ଦେଇଥିଲେ। ଏନେଇ ସିବିଆଇ ତାଙ୍କ ବିରୋଧରେ ଏତଲା ଦାଏର କରିଛି। ୨୦୨୧ ଅକ୍ଟୋବରରେ ଓ୍ବାଙ୍ଖଡ଼େଙ୍କ ନେତୃତ୍ୱରେ ଏନ୍‌ସିବି ଟିମ୍‌ ମୁମ୍ବାଇ ଉପକୂଳରେ ରେଭ୍‌ ପାର୍ଟି ଚାଲିଥିବା ଏକ କ୍ରୁଜ୍‌ ଜାହାଜ ଉପରେ ଚଢ଼ାଉ କରି ଆର୍ୟନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଆର୍ୟନଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ଓ୍ବାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ଏବଂ ଆପରାଧିକ ଆଚରଣ ଅଭିଯୋଗରେ ମାମଲା ରୁଜୁ କରିଛି। ତତ୍କାଳୀନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ଏବଂ ଗୋଇନ୍ଦା ଅଧିକାରୀ ଆଶିଷ ରଞ୍ଜନଙ୍କ ବିରୋଧରେ ସିବିଆଇ ତଦନ୍ତରୁ ସେମାନଙ୍କ ସମ୍ପତ୍ତି ଘୋଷିତ ଆୟଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିଛି। ବିଦେଶ ଭ୍ରମଣ ଓ ଏଥିରେ ବ୍ୟୟ କରିଥିବା ଅର୍ଥ ସମ୍ପର୍କରେ ଓ୍ବାଙ୍ଖଡ଼େ ଠିକ୍‌ ଭାବେ ଉତ୍ତର ଦେଇପାରି ନ ଥିଲେ। ଏତଲାରେ ଅନ୍ୟ ଯେଉଁମାନଙ୍କ ନାମ ରହିଛି ସେମାନେ ହେଲେ ଏନ୍‌ସିବିର ତତ୍କାଳୀନ ବରିଷ୍ଠ ଅଧିକାରୀ ବିଶ୍ୱ ବିଜୟ ସିଂ ଓ ଆଶିଷ ରଞ୍ଜନ, କେ.ପି. ଗୋସାଭି ଏବଂ ତାଙ୍କ ସହଯୋଗୀ ସାନଭିଲେ ଡି’ସୌଜା। ଗୋସାଭି ଡ୍ରଗ୍ସ ମାମଲାର ସାକ୍ଷୀ ରହିଥିବାବେଳେ ଆର୍ୟନ ଗିରଫ ସମୟରେ ତାଙ୍କ ସହ ସେଲ୍‌ଫି ନେଇଥିଲେ। ଏନ୍‌ସିବି କର୍ମଚାରୀ ନ ହୋଇ ଗୋସାଭିଙ୍କୁ ଅଭିଯୁକ୍ତଙ୍କ ପାଖକୁ କ’ଣ ପାଇଁ ଛଡ଼ାଯାଇଥିଲା ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା। ଶାହରୁଖଙ୍କ ପରିବାରକୁ ୨୫ କୋଟି ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ଶେଷରେ ୧୮ କୋଟି ଦେବା ପାଇଁ ବୁଝାମଣା ହୋଇଥିଲା। ଲାଞ୍ଚ ଅର୍ଥରୁ ୫୦ ଲକ୍ଷ ଟଙ୍କା ଗୋସାଭି ଓ ତାଙ୍କ ସହଯୋଗୀ ଡି’ସୌଜା ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି।

Share