ନୂଆଦିଲ୍ଲୀ, ୩୦ା୫: ଭାରତୀୟ ବାୟୁସେନା ଓ ନୌସେନା ପାଇଁ ହଓ୍ବକ୍ ୧୧୫ ଅତ୍ୟାଧୁନିକ ଜେଟ୍ ଟ୍ରେନର ବିମାନ କିଣାରେ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଟିଶ ଏରୋସ୍ପେସ୍ ଓ ପ୍ରତିରକ୍ଷା କମ୍ପାନୀ ରୋଲ୍ସ ରୟସ୍ ପିଏଲ୍ସି ,
ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଅସ୍ତ୍ର ଡିଲରଙ୍କ ବିରୋଧରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରିଛି। ସିବିଆଇ ଦୀର୍ଘ ୬ ବର୍ଷ ତଦନ୍ତ କରିବା ପରେ ରୋଲ୍ସ ରୟସ୍ର ନିର୍ଦ୍ଦେଶକ ଟିମ୍ ଜୋନ୍ସ, ଅସ୍ତ୍ର ବ୍ୟବସାୟୀ ସୁଧୀର ଚୌଧରୀ ଓ ଭାନୁ ଚୌଧରୀ, ରୋଲ୍ସ ରୟସ ପିଏଲ୍ସି ଓ ବ୍ରିଟିଶନ ଏରୋସ୍ପେସ୍ ସିଷ୍ଟମ୍ସ ବିରୋଧରେ ଆଇପିସିର ଧାରା ୧୨୦-ବି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ଦାଏର ହୋଇଛି। ଡିଲ୍ ପାଇଁ କମ୍ପାନୀ ପକ୍ଷରୁ ମଧ୍ୟସ୍ଥଙ୍କୁ କମିଶନ ଦିଆଯାଇଥିବା ସମ୍ପର୍କରେ ୨୦୧୭ରେ ବ୍ରିଟେନ୍ର ଏକ ଅଦାଲତ ରାୟ ଦେଇଥିଲେ। ୭୩୪.୨୧ ନିୟୁତ ପାଉଣ୍ଡରେ ୨୪ଟି ହଓ୍ବକ୍ ୧୧୫ ଏଜେଟି ବିମାନ କିଣିବା ପାଇଁ ୨୦୦୩ରୁ ୨୦୧୨ ମଧ୍ୟରେ ଅଭିଯୁକ୍ତ ମଧ୍ୟସ୍ଥମାନେ କେତେଜଣ ସରକାରୀ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।