Categories: ଜାତୀୟ

ସିବିଆଇ ମୁଖ୍ୟଙ୍କୁ ଥାନାକୁ ଡକାଇଲା ପୋଲିସ

ମୁମ୍ବାଇ,୯।୧୦: ରାଜନୈତିକ ଝଡ଼ ସୃଷ୍ଟି କରିଥିବା ଫୋନ ଟାପିଂ ଓ ଡାଟା ଲିକ୍‌ ସମ୍ପର୍କିତ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ଚାଲିଛି। ଏ ସଂକ୍ରାନ୍ତରେ ପଚରାଉଚୁରା ପାଇଁ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୈଶ୍ୱାଲଙ୍କୁ ସମନ୍‌ ପଠାଇଛି ମୁମ୍ବାଇ ପୋଲିସର ସାଇବର ସେଲ। ଇ-ମେଲ୍‌ ମାଧ୍ୟମରେ ପଠାଯାଇଥିବା ସମନ୍‌ରେ ଆସନ୍ତା ଗୁରୁବାର ସୁଦ୍ଧା ହାଜର ହେବାକୁ କୁହାଯାଇଛି।

ମହାରାଷ୍ଟ୍ର ପୋଲିସରେ ଟ୍ରାନ୍ସଫର ସମ୍ପର୍କିତ ଦୁର୍ନୀତି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେତେବେଳର ରାଜ୍ୟ ଇଣ୍ଟେଲିଜେନ୍ସ ବିଭାଗ ମୁଖ୍ୟ ରଶ୍ମୀ ଶୁକ୍ଲା। ଦୁର୍ନୀତି ସମୟରେ ଜୈଶ୍ୱାଲ ମୁମ୍ବାଇ ପୋଲିସର ଡିଜି ଥିଲେ। ଅଭିଯୋଗ ଅନୁଯାୟୀ, ତଦନ୍ତ ବେଳେ ବେଆଇନ ଭାବେ ବରିଷ୍ଠ ଅଧିକାରୀ ଓ ରାଜନେତାଙ୍କ ଫୋନ ଟ୍ୟାପ କରାଯାଇଥିଲା। ଆଉ ଏହାର ରିପୋର୍ଟକୁ ଜାଣିଶୁଣି ଲିକ୍‌ କରାଯାଇଥିଲା। ସାଇବର ସେଲ ପକ୍ଷରୁ ରୁଜୁ କରାଯାଇଥିବା ଏଫ୍‌ଆଇଆରରେ ଶୁକ୍ଲାଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ।

୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ଅଫିସର ଜୈଶ୍ୱାଲଙ୍କୁ ଚଳିତ ବର୍ଷ ମେ’ରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନ (ସିବିଆଇ) ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା।

Share