Categories: ଜାତୀୟ

୧୪ଘଣ୍ଟା ଧରି ଚାଲିଲା ଲାଲୁଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୫: ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ ମିସା ଭାରତୀଙ୍କର ୧୭ଟି ସ୍ଥାନରେ ଥିବା ଘର ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି। ଏହି ଚଢ଼ାଉ ଦୀର୍ଘ ୧୪ଘଣ୍ଟା ଧରି ଚାଲିଥିଲା। ସିବିଆଇର ଏହି କାର୍ଯ୍ୟାନୁଷ୍ଠାନକୁ ଆରଜେଡି କର୍ମକର୍ତ୍ତା ବିରୋଧ କରିଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, କର୍ମକର୍ତ୍ତାଙ୍କଠାରୁ ସେମାନଙ୍କୁ ବଞ୍ଚାଇବା ପାଇଁ ରାବ୍ରି ଦେବୀ ଓ ତେଜପ୍ରତାପ ନିଜେ ସିବିଆଇ ଅଧିକାରୀଙ୍କୁ ଗେଟ୍‌ ପାଖକୁ ଛାଡ଼ିବାକୁ ଆସିଥିଲେ। ସୂଚନାଯୋଗ୍ୟ, ଲାଲୁ ରେଳମନ୍ତ୍ରୀ ଥିବା ବେଳେ ପ୍ରାର୍ଥୀମାନଙ୍କୁ ଜମି ବଦଳରେ ନିଯୁକ୍ତି ଦିଆଯାଇଥିଲା। ଯାଦବ ପରିବାର ସମ୍ପୃକ୍ତ ଥିବା ବିଭିନ୍ନ କମ୍ପାନୀ ବିହାରର ବିଭିନ୍ନ ଅଞ୍ଚଳରୁ ମୂଲ୍ୟବାନ ସମ୍ପତ୍ତି ସଂଗ୍ରହ କରିଥିଲେ। ସିବିଆଇ କେତେଜଣ ପ୍ରାର୍ଥୀଙ୍କ ବୟାନ ରେକର୍ଡ କରିଛି। ସିବିଆଇର ପ୍ରାଥମିକ ତଦନ୍ତ ଆଧାରରେ ଲାଲୁ ଓ ମିସା ଭାରତୀଙ୍କ ନାଁରେ ଏତଲା ଦାଏର ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଜାମିନ ପାଇବାର କିଛି ସପ୍ତାହ ପରେ ସେ ପୁଣି ଏକ ଦୁର୍ନୀତିରେ ଛନ୍ଦିହୋଇ ପଡ଼ିଛନ୍ତି। ସେ ୫ଟି ଗୋଖାଦ୍ୟ ଦୁର୍ନୀତି ମାମଲାରୁ ୪ଟିରେ ଦୋଷୀସାବ୍ୟସ୍ତ ହୋଇସାରିଛନ୍ତି।

Share