Categories: ଜାତୀୟ

ରାମ ରହିମ୍‌ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ୧୨ରେ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବ। ଏହି ମାମଲାରେ ଅଭିଯୁକ୍ତ ଡେରାମୁଖୀ ଗୁରୁମିତ ରାମ ରହିମ ଏବଂ କୃଷ୍ଣ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ଏଥି ସହ ଅଭିଯୁକ୍ତ ଅବତାର, ଜସଭୀର ଏବଂ ସବଦିଲ ସିଧାସଳଖ କୋର୍ଟରେ ହାଜର ହୋଇଥିଲେ।
ଜୁଲାଇ ୧୦, ୨୦୦୨ରେ, ଡେରାର ପରିଚାଳନା କମିଟିର ସଦସ୍ୟ ଥିବା କୁରୁକ୍ଷେତ୍ରର ରଞ୍ଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ହୋଇ ରଣଜିତଙ୍କ ପିତା ଜାନୁଆରୀ ୨୦୦୩ ରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୦୭ରେ, କୋର୍ଟ ଅଭିଯୁକ୍ତଙ୍କ ଉପରେ ଅଭିଯୋଗ କରିଥିଲେ। ସାଧବୀଙ୍କ ଯୌନ ଶୋଷଣ ମାମଲାରେ ଗୁରୁମିତ ରାମ ରହିମ୍‌ଙ୍କୁ ୨୦ ବର୍ଷ ଦଣ୍ଡିତ କରାଯାଇଛି ଏବଂ ସେ ଖବରଦାତା ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Share