Categories: ଜାତୀୟ

୩ ଆଇଏଏଫ୍‌ ଅଧିକାରୀଙ୍କୁ ଆଜୀବନ ଜେଲ୍‌ରେ ଦଣ୍ଡିତ କଲା ସିବିଆଇ କୋର୍ଟ

ଗାନ୍ଧୀନଗର,୧୪।୫: ହାଜତ ମୃତ୍ୟୁ ଅଭିଯୋଗରେ ଆଲ୍ଲାହାବାଦର ସ୍ବତନ୍ତ୍ର ସିବିଆଇ କୋର୍ଟ ଭାରତୀୟ ଏୟାର ଫୋର୍ସ (ଆଇଏଏଫ୍‌)ର ୩ଅଧିକାରୀଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୩ଅଧିକାରୀଙ୍କ ମଧ୍ୟରୁ ୨ଜଣ ଅବସରପ୍ରାପ୍ତ ହୋଇଥିବା ବେଳେ ଜଣେ କାର୍ଯ୍ୟରତ ଅଧିକାରୀ ଅଛନ୍ତି। ଉକ୍ତ ଅଧିକାରୀମାନେ ହେଲେ ଜାମନଗର ଏୟାର ଫୋର୍ସ-୧ର ସ୍କ୍ବାଡ୍ରନ୍‌ ଲିଡ୍‌ର ଅନୁପ ସୁଦ, ସର୍ଜେଣ୍ଟ ଅନିଲ କେ.ଏନ୍‌ ଏବଂ ମହେନ୍ଦ୍ର ସିଂ ଶେରାଓ୍ବତ। ଅନୁପ ଗ୍ରୁପ୍‌ କ୍ୟାପ୍ଟେନ ଭାବେ କାର୍ଯ୍ୟରୁ ଅବସର ନେଇଥିବା ବେଳେ ଅନିଲ ମଧ୍ୟ ଆଇଏଏଫ୍‌ର କାର୍ଯ୍ୟନିବୃତ୍ତ ଅଧିକାରୀ। ସୂଚନା ମୁତାବକ, ଏହା ୨୭ ବର୍ଷ ପୂର୍ବର ମାମଲା। ଗିରିଜା ରାଓ୍ବତ ଜାମନଗର ଏୟାର ଫୋର୍ସ ଷ୍ଟେଶନରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ୧୯୯୫ରେ କ୍ୟାଣ୍ଟିନରୁ ମଦ ଚୋରି ଅଭିଯୋଗ ହୋଇଥିଲା। ସେ ସମୟରେ ସ୍କ୍ବାଡ୍ରନ୍‌ ଲିଡ୍‌ର ଥିବା ଅନୁପ ଘଟଣା ଯାଞ୍ଚ କରିବା ସହ ରାଓ୍ବତଙ୍କ ଘରେ ସର୍ଚ୍ଚ ଅଭିଯାନ କରିଥିଲେ। ଏହାପରେ ଅନୁପଙ୍କ ନିର୍ଦ୍ଦେଶରେ ଆଇଏଏଫ୍‌ ଅଧିକାରୀ ରାଓ୍ବତଙ୍କୁ ଜୋରଜବରଦସ୍ତି ଜେଲରେ ଆଣି ରଖିଥିଲେ। ହାଜତ ଭିତରେ ଉଚ୍ଚାଧିକାରୀମାନେ ତାଙ୍କ ଉପରେ ଏଭଳି ଅତ୍ୟାଚାର କରିଥିଲେ ଯେ, ନଭେମ୍ବର ୧୪ରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ରାଓ୍ବତଙ୍କ ସ୍ତ୍ରୀ କହିଛନ୍ତି। ଅଭିଯୋଗ ଓ ସାକ୍ଷ୍ୟ ଆଧାରରେ ୨୦୧୩ ଜୁଲାଇ ୩୦ରେ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେବା ପରେ ଆଲ୍ଳାହାବାଦ କୋର୍ଟ ସେମାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Share