ସିବିଆଇ, ଇଡି ଓଡ଼ିଶା ଆସିବା ଆବଶ୍ୟକ: ଜୟନାରାୟଣ

ଭୁବନେଶ୍ବର,୨୧ା୯(ବ୍ୟୁରୋ): ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି କଥା କହିଛନ୍ତି। ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।
ଜୟନାରାୟଣ ଆହୁରି କହିଛନ୍ତି, ଅନେକ ଲୋକଙ୍କ ଦୁର୍ନୀତିରେ ଓଡ଼ିଶା ଭାରାକ୍ରାନ୍ତ ହୋଇଯାଇଛି। ଏଣୁ ସେ ଭାବୁଛନ୍ତି, ଏଠାକୁ ସିବିଆଇ ଓ ଇଡି ଆସିବାର ଆବଶ୍ୟକତା ରହିଛି। ଓଡ଼ିଶାର ରାଜନୈତିକ ପରିସ୍ଥିତି ବିଷୟରେ ନଡ୍ଡା ଓ ଶାହାଙ୍କ ସହ ଆଲୋଚନା ହୋଇଛି ବୋଲି ଜୟନାରାୟଣ କହିଛନ୍ତି। ତେବେ ଓଡ଼ିଶାକୁ ସିବିଆଇ, ଇଡି ଆସିବା ଏବଂ ଭାଜପା ସଙ୍ଗଠନ ମଜଭୁତ କରିବା କଥାକୁ କଂଗ୍ରେସ ଏବଂ ବିଜେଡି ସମାଲୋଚନା କରିଛନ୍ତି। ଅନ୍ୟପଟେ ଆସନ୍ତା ୨୯ ଏବଂ ୩୦ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଜେ.ପି. ନଡ୍ଡା ଆସୁଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଓଡ଼ିଶା କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି।