Categories: ଜାତୀୟ

ପୂର୍ବତନ ଗୃହମନ୍ତ୍ରୀ ଅନିଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

ମୁମ୍ବାଇ,୨।୬: ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ଚାର୍ଜଶିଟ୍‌ ଦାଖଲ କରିଛି। ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ୭୧ ବର୍ଷୀୟ ଏନ୍‌ସିପି ନେତା ମନି ଲଣ୍ଡରିଂ ମାମଲାରେ ଏବେ ଅର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଛି। ଗତ ଏପ୍ରିଲରେ ସିବିଆଇ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ନେବା ଦେଶମୁଖଙ୍କ ସମେତ, ତାଙ୍କ ସହଯୋଗୀ, କୁନ୍ଦନ ସିନ୍ଦେ ଏବଂ ବହିଷ୍କୃତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ହାଜତକୁ ନେଇଥିଲା। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତାଙ୍କ ନିର୍ଦ୍ଦେଶରେ ପୋଲିସ ଅଧିକାରୀ ମୁମ୍ବାଇର ବିଭିନ୍ନ ରେଷ୍ଟୁରାଣ୍ଟ ଓ ବାର୍‌ରୁ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରୁଥିଲେ ବୋଲି ପରମବୀର କହିଥିଲେ। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ଦେଶମୁଖ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।

Share