ନୂଆଦିଲ୍ଲୀ,୨୬।୮: ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ୯ଟି ମାମଲା ରୁଜୁ କରିଛି। ସିବିଆଇର ୪ଟି ସ୍ବତନ୍ତ୍ର ୟୁନିଟ୍ ବିଭିନ୍ନ ହିଂସାକାଣ୍ଡ ସ୍ଥଳକୁ ଯାଇ ତଦନ୍ତ କରିଛି। କେତେକ ମାମଲାର ତଦନ୍ତ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ କେତେକ ମାମଲା ରୁଜୁ ପାଇଁ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି। ନିର୍ବାଚନ ପରବର୍ତ୍ତୀ ହିଂସା ବେଳେ ଘଟିଥିବା ହତ୍ୟା, ବଳାତ୍କାର ଏବଂ ବଳାତ୍କାର ଉଦ୍ୟମ ଆଦି ଅପରାଧର ସିବିଆଇ ତଦନ୍ତ ଅଦାଲତ ତତ୍ତ୍ୱାବଧାନରେ କରାଇବା ପାଇଁ କୋଲକାଟା ହାଇକୋର୍ଟ ନିକଟରେ ନିର୍ଦ୍ଦେଶ ଦେବା ସହ ଅନ୍ୟ ମାମଲାଗୁଡ଼ିକର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଥିଲେ। ଉଭୟ ସିବିଆଇ ଏବଂ ଏସ୍ଆଇଟି ୬ ସପ୍ତାହ ମଧ୍ୟରେ ସେମାନଙ୍କ ରିପୋର୍ଟ ଦାଖଲ କରିବେ।