Categories: ଜାତୀୟ

ମଣିପୁରର ୨୦ ମାମଲା ସିବିଆଇକୁ ହସ୍ତାନ୍ତର

ଇମ୍ଫାଲ,୨୧।୮: ମଣିପୁରରେ କୁକି-ମେଇତି ସମ୍ପ୍ରଦାୟର ଜଣେ ୭ ବର୍ଷୀୟ ଶିଶୁ ସମେତ ତାଙ୍କ ମା’ ଓ ଖୁଡ଼ୀଙ୍କୁ ଆମ୍ବୁଲାନ୍ସରେ ଜିଅନ୍ତା ଜାଳି ଦିଆଯାଇଥିଲା। ମଣିପୁର ପୋଲିସ ବର୍ତ୍ତମାନ ଏହି ମାମଲା ସମେତ ଅନ୍ୟ ୨୦ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛି।

ସିବିଆଇ ବର୍ତ୍ତମାନ ସମସ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ଦାବିକୁ ବିରୋଧ କରି ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଗତ ମେ ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏଥିରେ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଲୋକ ଆହତ ହୋଇଥିଲେ।

ଜୁନ ୪ ତାରିଖରେ ପଶ୍ଚିମ ଇମ୍ଫାଲର ଇରୋଇସେମ୍ବା ଜିଲାରେ ଜଣେ ୭ ବର୍ଷୀୟ ଶିଶୁ ଟନସିଙ୍ଗ୍‌ ହଙ୍ଗ୍‌ସିଙ୍ଗ୍‌ଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଗୁରତର ହୋଇଥିଲେ। ତାଙ୍କ ମା’ ମୀନା ହଙ୍ଗ୍‌ସିଙ୍ଗ୍‌ ଏବଂ ଖୁଡି ଲାଦିଆ ଲୋଉରେମ୍ବମ୍‌ ତାଙ୍କୁ ମଣିପୁରସ୍ଥିତ ହସ୍ପିଟାଲକୁ ଏକ ଆମ୍ବୁଲାନ୍ସ ଯୋଗେ ନେଉଥିଲେ। ବାଳକଙ୍କ ମା’ ମୈତେଇ ସମ୍ପ୍ରଦାୟର ହୋଇଥିବା ବେଳେ ବାପା କୁକି ସମ୍ପ୍ରଦାୟର ଅଟନ୍ତି। ତେଣୁ ଉଭୟ ସମ୍ପ୍ରଦାୟ ପରସ୍ପର ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶିଶୁ ସମେତ ଦୁଇ ମହିଳାଙ୍କୁ ଜିଅନ୍ତା ଜାଳିଦେଇଥିଲେ।

Share