ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ ଥିଲେ। ବାଇପୋଲାର ଡିଜ୍‌ଅର୍ଡର ଯୋଗୁ ସେ ଚିକିତ୍ସିତ ହେବା ସହ ଔଷଧ ମଧ୍ୟ ଖାଉଥିଲେ ବୋଲି ମୁମ୍ବାଇ ପୋଲିସ ମୁଖ୍ୟ ପରମ୍‌ବୀର ସିଂ ପ୍ରକାଶ କରିଛନ୍ତି। ଏନେଇ ଡାକ୍ତର ମତ ରଖିଥିବା ସେ ପ୍ରକାଶ କରିଛନ୍ତି।
ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ଜୁନ୍‌ ୮ରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ସୁଶାନ୍ତ ଚିନ୍ତିତ ଥିଲେ। ସର୍ବଦା ମାନସିକ ଚାପରେ ରହୁଥିଲେ। ଶେଷରେ ସେ କଷ୍ଟହୀନ ମୃତ୍ୟୁ ଚାହୁଁଥିବା ଗୁଗଲରେ ଦର୍ଶାଇଥିଲେ। ତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ରୁ ଏହା ଜଣାପଡ଼ିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ସେନେଇ ତଦନ୍ତ କରାଯାଉଥିବା ମୁମ୍ବାଇ ପୋଲିସ ପ୍ରକାଶ କରିଛି। ମାମଲାରେ କୌଣସି ରାଜନେତାଙ୍କ ନାମ ନାହିଁ। ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଆଣିଥିବା ଅଭିଯୋଗର ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଆକାଉଣ୍ଟରେ ୧୮ କୋଟି ଟଙ୍କା ଥିଲା। ତାଙ୍କ ଆକାଉଣ୍ଟରେ ଏବେ ୪.୫ କୋଟି ଅଛି। ପ୍ରାୟ ୧୫ କୋଟି ହେର୍‌ଫେର୍‌ ହୋଇଛି। ହେଲେ ସୁଶାନ୍ତଙ୍କ ଆକାଉଣ୍ଟରୁ ରିଆଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସି ନ ଥିବା ତଦନ୍ତରୁ ଜଣାପଡ଼ିଛି। ରିଆଙ୍କ ସମେତ ମୋଟ ୫୬ ଜଣଙ୍କୁ ଏହି ମାମଲାରେ ଜେରା କରାଯାଇଛି ବୋଲି ପରମ୍‌ବୀର କହିଛନ୍ତି। ରିଆ ପୋଲିସକୁ ସହଯୋଗ କରୁଛନ୍ତି ଓ ତାଙ୍କ ବୟାନ ରେକର୍ଡ କରାଯାଇଛି। ମାମଲାର ବିଭିନ୍ନ ଦିଗକୁ ମୁମ୍ବାଇ ପୋଲିସ ତନ୍ନ ତନ୍ନ କରି ଦେଖୁଛି ବୋଲି ପରମ୍‌ବୀର ପ୍ରକାଶ କରିଛନ୍ତି।

Share