ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ ପରିବାର ସିବିଆଇ ସ୍କାନରରେ ଅଛନ୍ତି। ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଯେହେତୁ ଆମେ ପୁଣି ଏକାଠି ହୋଇଛୁ। ସେଥିପାଇଁ ୫ ବର୍ଷ ପରେ ରାଜ୍ୟରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି।
୨୦୧୭ରେ ଆମେ ଆରଜେଡିଙ୍କ ସହ ଥିଲୁ। ସେତେବେଳେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଆରଜେଡି ଏବଂ ଜେଡିୟୁ ଅଲଗା ହେବା ପରେ, ଏହି କାର୍ଯ୍ୟ ଏତେ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। କିନ୍ତୁ ଆମେ ଏକାଠି ହେବା ମାତ୍ରେ ପୁଣି ଥରେ ଚଢ଼ାଉ ଆରମ୍ଭ ହେଲା। ତେବେ ବର୍ତ୍ତମାନ ଏହା ଉପରେ କେନ୍ଦ୍ରର ଭାଜପା ସରକାରଙ୍କୁ କ’ଣ କୁହାଯାଇପାରେ ତାହା ରାଜ୍ୟର ଜନସାଧାରଣ ହିଁ ଚିନ୍ତା କରିବେ।
ମେଣ୍ଟ ପରିବର୍ତ୍ତନ ପ୍ରଶ୍ନ ନେଇ ନୀତୀଶ ମୁରୁକି ହସି କହିଛନ୍ତି ଯେ ସେପରି କିଛି ନାହିଁ। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆବଶ୍ୟକ ସମୟରେ ଏ ନେଇ ସୂଚନା ପ୍ରଦାନ କରାଯିବ।