Categories: ଜାତୀୟ

୪୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ/ଶ୍ରୀନଗର, ୨୫।୭: ବେଆଇନ ଅସ୍ତ୍ର ଲାଇସେନ୍ସ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨ ଜଣ ଆଇଏଏସ୍‌ ଅଫିସରଙ୍କ ବାସଭବନ ସମେତ ଜମ୍ମୁ-କଶ୍ମୀର ଓ ଦିଲ୍ଲୀର ୪୦ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍ୟମାନଙ୍କ ମଧ୍ୟରେ କଶ୍ମୀର ପ୍ରଶାସନିକ ଅଧିକାରୀ, ତତ୍କାଳୀନ ଜିଲା ମାଜିଷ୍ଟ୍ରେଟ ଏବଂ ଏଡିଏମ୍‌ଙ୍କ ଘର ଓ କାର୍ଯ୍ୟାଳୟକୁ ମଧ୍ୟ ଚଢ଼ାଉରେ ସାମିଲ କରାଯାଇଥିଲା। ଏହା ବ୍ୟତୀତ ୨୦ ଗନ୍‌ ହାଉସ ବା ଡିଲରଙ୍କ ଘର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ଶ୍ରୀନଗରର ପୂର୍ବତନ ଡେପୁଟି କମିଶନର ଶାହିଦ ଇକ୍‌ବାଲ ଚୌଧରୀ ଏବଂ ଅନ୍ୟତମ ଆଇଏଏସ୍‌ ଅଫିସର ନୀରଜ କୁମାରଙ୍କ ଘର ଖାନ୍‌ତଲାସ କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି। ଜମ୍ମୁ-କଶ୍ମୀର ସରକାରଙ୍କ ଅନୁରୋଧ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ ମେ’ ୧୭ରେ ସିବିଆଇ ବେଆଇନ ଅସ୍ତ୍ର ଲାଇସେନ୍ସ ଯୋଗାଣ ଘଟଣାରେ ଦୁଇଟି ମାମଲା ରୁଜୁ କରିଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ ରାଜ୍ୟରେ ବହୁ ପରିମାଣରେ ଅସ୍ତ୍ର ଲାଇସେନ୍ସ ଇସ୍ୟୁ ହୋଇଥିଲା। ହକ୍‌ଦାର ନ ଥିବା ଲୋକଙ୍କୁ ୨.୭୮ ଲକ୍ଷରୁ ଊର୍ଦ୍ଧ୍ୱ ଲାଇସେନ୍ସ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Share