Categories: ଜାତୀୟ

କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ବେଙ୍ଗାଲୁରୁର କନକପୁରା ବିଧାନସଭା କ୍ଷେତ୍ରର ସଦାଶିବ ନଗର ସ୍ଥିତ ହୋଡ୍ଡୁଲାହଲି ଗାଁରେ ଶିବକୁମାରଙ୍କ ବାସ ଭବନରେ ସୋମବାର ସକାଳ ୬ଟାରେ ଚଢ଼ାଉ କରାଯାଇଛି। ଆୟ ତୁଳନାରେ ଅଧିକ ସମ୍ପତ୍ତି ନେଇ ଗତ ୨ ବର୍ଷ ଧରି ଇଡ଼ି ଏବଂ ଆୟକର ବିଭାଗ ପକ୍ଷରୁ ଶିବକୁମାରଙ୍କ ସମ୍ପତ୍ତି କାଗଜପତ୍ର ଯାଞ୍ଚ୍‌ କରାଯାଉଛି। ତେବେ ସମ୍ପତ୍ତି ପରିମାଣ ସମ୍ପର୍କରେ ସଠିକ୍‌ ତଥ୍ୟ ହାସଲ ଲାଗି ଚଢ଼ାଉ କରାଯାଉଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶିବକୁମାରଙ୍କ ଭାଇ ଡି.କେ. ସୁରେଶ ଏବଂ ନିକଟତମ ସହଯୋଗୀ ଇକବାଲ୍‌ ହୁସେନ୍‌ଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ମୋଟ ୧୫ଟି ସ୍ଥାନରେ ଏକା ସମୟରେ ଚଢ଼ାଉ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଏହି ସମୟରେ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

Share