Categories: ଜାତୀୟ

ମୁକୁଳି ନ ପାରନ୍ତି ଲାଲୁ

ରାଞ୍ଚି,୩୦ ।୧୦: ଗୋଟିଏ ପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ଜାମିନ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟପଟେ ତାଙ୍କୁ ଯେପରି ଜାମିନ ନ ମିଳିବ ସେଥିପାଇଁ ସିବିଆଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି । ଲାଲୁ ପ୍ରସାଦଙ୍କୁ ଝାଡଖଣ୍ଡ ହାଇକୋର୍ଟ ଚାଇବାସ ଟ୍ରେଜେରୀ ମାମଲାରେ ଜାମିନ ପ୍ରଦାନ କରିଥିବା ବେଳେ ସିବିଆଇ ଏହାର ଶୁଣାଣି ସମୟରେ କହିଛି ଏହି ମାମଲାରେ ଲାଲୁ ପ୍ରସାଦ ଗୋଟିଏ ଦିନ ବି ଜେଲରେ କଟାଇ ନାହାନ୍ତି । ଏହା ପଛରେ ସିବିଆଇ ସିଆରପିସି ଧାରା ୪୨୭କଥା ଉଠାଇଥିଲା । ଏହି ଆଧାରରେ ଯଦି କାହାକୁ ଗୋଟିଏ ପ୍ରକାର ମାମଲାରେ ବାରମ୍ବାର ସଜା ମିଳିଛି ତେବେ ପ୍ରଥମ ସଜା ସମ୍ପୂର୍ଣ୍ଣ ହେବାପରେ ଦ୍ୱିତୀୟ ସଜା ଆରମ୍ଭ ହେବାର ବିଧି ରହିଛି । ଏଥିପାଇଁ ଲାଲୁ ପ୍ରସାଦଙ୍କୁ ତଳ କୋର୍ଟରେ ଏକାସାଙ୍ଗେ ସଜା କାଟିବାକୁ କହିବାର ଥିଲା, କିନ୍ତୁ ଏହା କରାଯାଇ ନାହିଁ । ଏହି ଆଧାରରେ ସିବିଆଇ ଲାଲୁଙ୍କ ଜାମିନର ବିରୋଧ କରିଥିଲା । ହେଲେ ହାଇକୋର୍ଟ ସିବିଆଇର ଏହି ଦଲିଲ ପରେ ବି ଲାଲୁ ପ୍ରସାଦଙ୍କୁ ଜାମିନ ପ୍ରଦାନ କରିଥିଲେ । ଏବେ ସିବିଆଇ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିବାକୁ ପ୍ରସ୍ତୁତ ହେଉଛି । ଏହାପୂର୍ବରୁ ମଧ୍ୟ ଦେଓଘର ମାମଲାରେ ଲାଲୁଙ୍କୁ ମିଳିଥିବା ଜାମିନ ବିରୋଧରେ ସିବିଆଇ ହାଇକୋର୍ଟରେ ଏସଏଲପି ଦାଖଲ କରି ସାରିଛି ।

Share