Categories: ଜାତୀୟ

୨୦୨୪-୨୫ ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ପଢ଼ାଇବାକୁ ସିବିଏସ୍‌ଇର ଅନୁମତି

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏହାର ସ୍କୁଲ୍‌ଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଇବା ଲାଗି ଅନୁମତି ପ୍ରଦାନ କରିଛି। ଦେଶରେ ବହୁଭାଷୀୟ ଶିକ୍ଷାର ପ୍ରସାର ପାଇଁ ଏହା ଏକ ବଡ଼ ପଦକ୍ଷେପ। ପ୍ରାକ୍‌ ପ୍ରାଥମିକରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ପିଲା ବିଭିନ୍ନ ଭାରତୀୟ ଭାଷା ମାଧ୍ୟମରେ ପାଠ ପଢ଼ିବାର ଅଧିକାର ପାଇବେ। ବର୍ତ୍ତମାନ ସିବିଏସ୍‌ଇ ମଞ୍ଜୁରୀପ୍ରାପ୍ତ ଅଧିକାଂଶ ସ୍କୁଲ୍‌ରେ ପାଠପଢ଼ାର ମାଧ୍ୟମ ହେଉଛି ଇଂଲିଶ। ଅଳ୍ପ କେତେକ ସ୍କୁଲ୍‌ରେ ହିନ୍ଦୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି।

ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍ଥାନୀୟ ଭାଷା, ମାତୃଭାଷା, ଘରେ ବ୍ୟବହୃତ ଭାଷା କିମ୍ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)କୁ ୨୨ଟି ଅନୁସୂଚିତ ଭାରତୀୟ ଭାଷାରେ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ସିବିଏସ୍‌ଇ କହିଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହିସବୁ ପୁସ୍ତକ ଉପଲବ୍ଧ ହେବ।

Share