ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ତାରିଖରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସିବିଏସ୍‌ଇ ଦଶମ ପରୀକ୍ଷା ମେ ୪ରୁ ଜୁନ୍‌ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରୀଛାତ୍ରଙ୍କୁ ପୂର୍ବାହ୍ନ ୧୦ଟା ପୂର୍ବରୁ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବାକୁ ପଡ଼ିବ। ୧୦ଟାରେ ଉତ୍ତର ଖାତା ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନ ପଢ଼ିବା ପାଇଁ ୧୫ମିନିଟ୍‌ ସମୟ ମିଳିବ। ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ। ସେହିଭଳି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଜୁନ୍‌ ୧୧ ତାରିଖରେ ଶେଷ ହେବ। ଦ୍ୱାଦଶ ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ। ପ୍ରଥମ ଶିଫ୍ଟ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ହେବ। ଏଥିପାଇଁ ଛାତ୍ରୀଛାତ୍ରମାନେ ୧୦ଟା ପୂର୍ବରୁ ପରୀକ୍ଷା ହଲ୍‌ରେ ପହଞ୍ଚିବେ। ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ ଏବଂ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ରେ ଶେଷ ହେବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ଅପରାହ୍ନ ୨ଟା ସୁଦ୍ଧା ପରୀକ୍ଷା ହଲ୍‌ରେ ପହଞ୍ଚତ୍ବାକୁ ପଡ଼ିବ। ଅପରାହ୍ନ ୨ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ ଏବଂ ୨ଟା ୩୦ରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସମ୍ପର୍କରେ ଅଧିକ ସୂଚନା ସିବିଏସ୍‌ଇର www.cbse.nic.inରେ ଉପଲବ୍ଧ ରହିଛି। ଛାତ୍ରୀଛାତ୍ରମାନେ ଏହି ଓ୍ବେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

Share