ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜାନୁୟାରୀ ୧ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ତାରିଖଗୁଡ଼ିକ ସମ୍ଭାବ୍ୟ ଓ ବୋର୍ଡ ପରବର୍ତ୍ତୀ ସମୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ଘୋଷଣା କରିବ ବୋଲି ସିବିଏସ୍‌ଇ ସ୍ପଷ୍ଟ କରିଛି। ପ୍ରାକ୍ଟିକାଲ୍‌ ପରୀକ୍ଷା କରିବା ପାଇଁ ସିବିଏସ୍‌ଇ ଏକ ଏସ୍‌ଓପି ମଧ୍ୟ ଜାରି କରିଛି। ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ତାରିଖ ପଠାଯିବ। ସମ୍ପୃକ୍ତ ବିଦ୍ୟାଳୟରେ ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରୋଜେକ୍ଟ ମୂଲ୍ୟାଙ୍କନ କାର୍ଯ୍ୟ କରାଯିବ। ପ୍ରାକ୍ଟିକାଲ ପରୀକ୍ଷାରେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରୀକ୍ଷକ ରହିବେ। ପ୍ରାକ୍ଟିକାଲ ପରୀକ୍ଷା, ପ୍ରୋଜେକ୍ଟ ମୂଲ୍ୟାଙ୍କନ ତଦାରଖ କରିବା ପାଇଁ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ମୂଲ୍ୟାଙ୍କନ ପରେ ବିଦ୍ୟାଳୟଗୁଡ଼ିକ ବୋର୍ଡ ଦ୍ୱାରା ଦିଆଯାଇଥିବା ଲିଙ୍କ୍‌ରେ ପରୀକ୍ଷା ଫଳାଫଳ ଅପଲୋଡ୍‌ କରିବେ।

Share