ମାସେ ହେଲା ବନ୍ଦ ରହିଛି ସିସି କ୍ୟାମେରା: କାହାରି ନଜର ନାହିଁ

ଲାଠୋର,୧୦।୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଲାଗିଥିବା ସିସି କ୍ୟାମେରା ଏକ ମାସ ହେଲା ବନ୍ଦ ହୋଇ ରହିଛି। ହେଲେ ଏଥିପ୍ରତି କେହି ନଜର ଦେଉ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।

୧୦ ୱାର୍ଡ଼ ବିଶିଷ୍ଟ ଲାଠୋର ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୦ ହଜାର। ଗ୍ରାମରେ ରେଳ ଯୋଗାଯୋଗ ରହିଛି। ଏଠାକୁ ପ୍ରତିଦିନ ବାହାରୁ ଲୋକ ଯିବା ଆସିବା କରୁଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚାୟତ ପକ୍ଷରୁ ଗତ ୨୦୨୨ରେ ଗାଁର ସମ୍ବେଦନ ଶିଳ ସ୍ଥାନ ଯଥା ମାର୍କେଟ ଏରିଆ, ପଞ୍ଚାୟତ ଛକ, ରେଳ ଷ୍ଟେଶନ ଏରିଆ, ଆମ୍ବେଦକର କଲୋନୀ ଆଦି ସ୍ଥାନରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୭ଟି ସିସି କ୍ୟାମେରା ଲଗାଯାଇ ହାର୍ଡ଼ଡ଼ିକ୍ସ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇଥିଲା।

ଗ୍ରାମରେ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା କେବୁଲ ତାର ଲଗାଇବା ପାଇଁ ନୂଆ ବିଦ୍ୟୁତ୍‌ ଖୁଣ୍ଟ ପୋତିବାରୁ ପୁରୁଣା ଖୁଣ୍ଟଗୁଡିକରେ ଲାଗିଥିବା ସିସି କ୍ୟାମେରାକୁ ଖୋଲି ଦିଆଯାଇଥିଲା। କାମ ଶେଷ ପରେ କ୍ୟାମେରା ଲଗାଯିବା କଥା। ହେଲେ କାମ ସରିବାର ଏକ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କ୍ୟାମେରା ଲାଗାଯାଇ ନାହିଁ। ଫଳରେ ଜନସାଧାରଣ ନଜକୁ ଅସୁରକ୍ଷିତ ମନେ କରିବା ସହ ରାତିରେ ଚୋରିକୁ ନେଇ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏନେଇ ସରପଞ୍ଚ ଜୟଶ୍ରୀ ଭଇଁଷାଲଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ ଘଟାଣା ସମ୍ପର୍କରେ କୁହାଯାଇଛି। ସେମାନେ କାମରେ ଅବହେଳା କରୁଥିବା ହେତୁ କ୍ୟାମେରା ଲାଗିବା ବିଳମ୍ବ ହେଉଛି। ସଂସ୍ଥାର ଉଚ୍ଚ ଅଧିକାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Share