ଲୋଇସିଂହା,୧୦।୯(ଡି.ଏନ.ଏ): ଏଟିଏମ କାର୍ଡ ଚୋରି କରି ଟଙ୍କା ଉଠାଇ ନେବା ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କନ୍ଦାଜୁରୀ ଗ୍ରାମର ମୁକୁନ୍ଦ ସାହୁ(୩୮)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏ ନେଇ ଏକ ମାମଲା (ନଂ.୨୫୬/୨୧) ରୁଜୁ ହୋଇଥିବା ଆଇଆଇସି ରମାକାନ୍ତ ଜେନା କହିଛନ୍ତି।
ପୋଲିସ ସୂଚନାମତେ, ଗତ ଅଗଷ୍ଟ ୨୬ରେ କନ୍ଦାଜୁରୀ ଗ୍ରାମର ଗଜକଡୋ ଭୋଇ ଲୋଇସିଂହାସ୍ଥିତ ଏସ୍ବିଆଇ ଶାଖାକୁ ଟଙ୍କା ଉଠାଇବାକୁ ଆସିଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଆକାଉଣ୍ଟରେ ଟଙ୍କା ନ ଥିବା କହିଥିଲେ। ତଦନ୍ତ ପରେ ଏଟିଏମରୁ ୯ଟି ପର୍ଯ୍ୟାୟରେ ୮୬ ହଜାର ୫ଶହ ଟଙ୍କା ଉଠାଯାଇଥିବା ଜଣାପଡିଥିଲା। କେହି ତାଙ୍କ ଏଟିଏମ୍ କାର୍ଡକୁ ଚୋରି କରି ଟଙ୍କା ଉଠାଇ ନେଇଥିବା ଗଜକଡୋ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ । ଲୋଇସିଂହା ଏସ୍ବିଆଇ ଏଟିଏମ କାଉଣ୍ଟର ସିସି କ୍ୟାମେରା ଯାଞ୍ଚ କରିବାରୁ କନ୍ଦଜୁରୀ ଗ୍ରାମର ମୁକୁନ୍ଦ ସାହୁଙ୍କୁ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲେ। ଏ ନେଇ ପୋଲିସ ଗିରଫ କରିଥିଲା। ଜେରା ବେଳେ ମୁକୁନ୍ଦ ଏଟିଏମ କାର୍ଡ ଚୋରି କରି ଟଙ୍କା ଉଠାଇ ଖର୍ଚ୍ଚ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଆଇଆଇସି ଜେନା ଏହି ସୂଚନା ଦେଇଛନ୍ତି।