ମୂଷା ଦ୍ୱାରା କ୍ଷତି ହେବା ସାଧାରଣ କଥା। ସେଥିପାଇଁ ମୂଷାକୁ ଧରିବା ପାଇଁ ଲୋକେ ଯନ୍ତା ବସାଇଥାନ୍ତି। କିନ୍ତୁ ନିକଟରେ ଗୋଟିଏ ମୂଷା ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟାଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ହେଉଛି ଗତ ଫେବୃୟାରୀ ମାସର। ହାଇଦ୍ରାବାଦର ମୁର୍ଶିଦାବାଦସ୍ଥିତ ଏକ କାର ଶୋ’ରୁମ୍ରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଥିଲା। ଅଗ୍ନିକାଣ୍ଡର କାରଣ ଖୋଳତାଡ଼ ହେବା ପରେ ଜଣାପଡ଼ିଲା ଯେ ଏହାର କାରଣ ହେଉଛି ଗୋଟିଏ ମୂଷା।
ଗତ ଫେବୃୟାରୀ ୮ରେ ମୁର୍ଶିିଦାବାଦର ଏକ କାର ଶୋ’ ରୁମ୍ ଏବଂ ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ଟି କାର୍ ସମେତ ପ୍ରାୟ ୧ କୋଟି ଟଙ୍କାର ଜିନିଷ ଜଳିଯାଇଥିଲା। ସର୍ଟ ଶର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଥିଲା। ମାତ୍ର ଏହି ଅଗ୍ନିକାଣ୍ଡ ମୂଷା ଦ୍ୱାରା ଘଟିଥିବା ସିସିଟିଭ ଫୁଟେଜରୁ ଜଣାପଡ଼ିଛି। ଘଟଣା ଦିନ ସକାଳେ ଦୋକାନରେ ପୂଜାର୍ଚ୍ଚନା ବେଳେ ଦୀପ ଲଗାଯାଇଥିଲା। ଏହି ଦୀପ ରାତି ପର୍ଯ୍ୟନ୍ତ ଜଳୁଥିଲା। ବିଳମ୍ବିତ ରାତିରେ ଗୋଟିଏ ମୂଷା ଉକ୍ତ ଦୀପକୁ ନେଇ ଚେୟାର ତଳେ ପକାଇ ଦେଇଥିଲା। ଏଥିରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି।