ପୋଲସରା,୭।୧(ଡି.ଏନ.ଏ.): ପୋଲସରା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବଢ଼ିବାରେ ଲାଗିଛି, ଯାହାକି ପୋଲିସ୍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଅସାମାଜିକଙ୍କ ଗତିବିଧି ଅନୁଧ୍ୟାନ କରିବା ସହିତ ନିୟନ୍ତ୍ରଣ କରିବା ପାଇଁ ପୋଲସରା ପୋଲିସ ପକ୍ଷରୁ ସହରରେ ସିସିଟିଭି ଲଗାଯାଇଛି। ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟଙ୍କ ତତ୍ତ୍ୱାବଧାନରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ସିସିଟିଭି ଓ ପୁରୁଣା ଥାନାର ଏକ ସ୍ବତନ୍ତ୍ର ଗୃହ ଉଦଘାଟନ ହୋଇଛି। ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଉଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସହରର ପ୍ରବେଶ ପଥ କଙ୍କୋରଡ଼ା ଛକଠାରୁ ଆରମ୍ଭ କରି ସହରର ଶେଷ ପ୍ରମୁଖ ବେଲଗାଁ ଛକ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଇଛନ୍ତି। କାକୁଡ଼ିଆ ଛକ ଦେଇ ପୋଲସରା ସହରକୁ ପ୍ରବେଶ କରୁଥିବା ଲଙ୍ଗଳେଶ୍ୱର ମନ୍ଦିର ପ୍ରବେଶ ଛକ, ରାଣୀପଡା, ତହସିଲ କାର୍ଯ୍ୟାଳୟ ଛକ, ବଜାରସାହି ଛକ, ମାଛ ମାର୍କେଟ ଛକ, ବସଷ୍ଟାଣ୍ଡ ଛକ, ଗୋପବନ୍ଧୁ ଛକ, ଷ୍ଟେଟବ୍ୟାଙ୍କ ଛକ, ବ୍ଲକ ଛକ, ଲୁଣିଘାଟି ଛକ, ପେଟ୍ରୋଲ ପମ୍ପ ଛକରେ ସିସିି କ୍ୟାମେରା ଲଗାଯାଇଛି। ସେହିପରି ପୁରୁଣା ଥାନାକୁ ସମ୍ପୂର୍ଣ୍ଣ ନବକଳେବର କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୁରଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ, ଅତିରିକ୍ତ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା, ଏନ୍ଏସି ଅଧ୍ୟକ୍ଷ ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ଝୁନୁ ଦାସ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଏମ୍ପି ପ୍ରତିନିଧି ମୋତିରାମ ସାହୁଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।