ସିଡିପି ୨୦୪୦: ୬ ସ୍ଥାନରେ ଟ୍ରକ୍‌ ପାର୍କିଂ ଯୋଜନା

ଭୁବନେଶ୍ୱର, ୩୧।୩ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ଟ୍ରକ ପାଇଁ ପାର୍କିଂ ସ୍ଥଳ ନାହିଁ। ତେଣୁ ଦୂରଦୂରାନ୍ତରରୁ ଆସୁଥିବା ଟ୍ରକଗୁଡିକ ପାଇଁ ସହରର ରାସ୍ତାକଡ, ସରକାରୀ ଜମି, ଓଭରବ୍ରିଜ ତଳ ଏବଂ ଉପକଣ୍ଠରେ ଥିବା ଢାବାଗୁଡିକ ପାର୍କିଂସ୍ଥଳ ପାଲଟିଛି। ଏଥିପାଇଁ ଅନେକ ସମୟରେ ସ୍ଥାନୀୟବାସୀଙ୍କୁ ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ସହର ଭିତରେ ବଡ ଟ୍ରକଗୁଡିକର ପାର୍କିଂକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିବାରେ ଲାଗିଛି। ସେହିପରି ଟ୍ରକ୍‌ ରଖୁଥିବା ସ୍ଥାନଗୁଡିକରେ ଡ୍ରାଇଭରମାନଙ୍କ ପାଇଁ ଶୌଚ ହେବାକୁ ସୁବିଧା ନ ଥିବାରୁ ସେମାନେ ହଇରାଣ ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବିଡିଏ ପକ୍ଷରୁ ଜାରି ହୋଇଥିବା ସିଡିପି ୨୦୪୦ରେ ବ୍ୟବସ୍ଥା କରାଯାଇଛି। ରାଜଧାନୀର ଉପକଣ୍ଠ ଅଞ୍ଚଳରେ ୬ଟି ସ୍ଥାନରେ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ରହିଛି। ବନମାଳୀପୁର-ପ୍ରତାପଶାସନ ରୋଡ୍‌ର ପୁରୁଣାପ୍ରଧାନ ଗ୍ରାମରେ ୧.୪ ହେକ୍ଟର ପରିମିତ ଜମିରେ ବସ ଏବଂ ଟ୍ରକ ଡିପୋ କରାଯିବାର ଯୋଜନା ରହିଛି। ସେହିପରି ସୁନନ୍ଦରପଦା-ଜଟଣୀ ରୋଡ୍‌ ଜାମୁକୋଳି ଗ୍ରାମରେ ୫.୧୨ହେକ୍ଟର ଜମିରେ ବସ ଏବଂ ଟ୍ରକ ଡିପୋ, ଏନ୍‌ଏଚ୍‌-୩୧୬ ପିପିଲି ଶାସନରେ ୧.୨୧ ହେକ୍ଟର ଏବଂ ଏନଏଚ-୧୬ରେ ଥିବା ଦଳେଇପୁଟରେ ୧୦.୬୧ ହେକ୍ଟର ଜମିରେ ସ୍ବତନ୍ତ୍ର ଟ୍ରକ ଟର୍ମିନାଲ ବ୍ୟବସ୍ଥା କରାଯାଇଛି। ସେହିପରି ଅଟ୍ରି ରୋଡ ପାନବରଜ ଗ୍ରାମରେ ୬୮.୨୮ ହେକ୍ଟର ଜମିରେ ବସ ଏବଂ ଟ୍ରକ ଟର୍ମିନାଲ ଏବଂ ଖୋର୍ଦ୍ଧା ହଳଦିଆ ରୋଡ ନୂଆପଡା ଗ୍ରାମରେ ୨୭.୭୧ ହେକ୍ଟର ଜମିରେ ବସ ଏବଂ ଟ୍ରକ ଟର୍ମିନାଲକୁ ନିର୍ମାଣ ପାଇଁ ଯୋଜନା ରହିଛି। ଏଠାରେ ବହୁସଂଖ୍ୟାରେ ଟ୍ରକ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଡ୍ରାଇଭରଙ୍କ ସୁବିଧା ପାଇଁ ଭୋଜନାଳୟ, ଶୌଚାଳୟ ସହ ବିଶ୍ରାମ କରିବା ବ୍ୟବସ୍ଥା ଉପଲବ୍ଧ ହେବ। ବହୁ ଦୂରରୁ ଆସୁଥିବା ଟ୍ରକ୍‌ଗୁଡିକ ଏଠାରେ ଜିନିଷ ଲୋଡିଂ, ଅନ୍‌ଲୋଡିଂ କରି ପାରିବେ।

Share