କୋରାପୁଟ, ୧୭।୫(ସ୍ବ.ପ୍ର.): କୋରାପୁଟ ଜିଲା ବନ୍ଧୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅଶ୍ୱିନୀ କୁମାର ପ୍ରଧାନ ଓ ବନ୍ଧୁଗାଁ ସିଡିପିଓ ନମିତାରାଣୀ ପାଲ। ଭିଜିଲାନ୍ସ ଅଧିକାରୀମାନେ ଅଶ୍ୱିନୀଙ୍କଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ଜୟପୁର ଭିଜିଲାନ୍ସ ବିଭାଗ ସୂଚନା ମୁତାବକ, ମିନତି କୁଲେସିକା ଅଙ୍ଗନଓ୍ବାଡି ପଦବୀ ପାଇଁ ପରୀକ୍ଷା ଦେଇଥିଲେ। ନିଯୁକ୍ତିପତ୍ର ପାଇଁ ବନ୍ଧୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ନମିତାରାଣୀ ପାଲଙ୍କ ନିର୍ଦ୍ଦେଶ କ୍ରମେ କିରାଣି ଅଶ୍ୱିନୀ ପ୍ରଧାନ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ଆଗରୁ ୧ ଲକ୍ଷ ଟଙ୍କା ନେଇ ସାରିଥିଲେ। ବୁଧବାର ମିନତିଙ୍କ ବାପା ରାଉତ କୁଲେସିକାଙ୍କଠାରୁ ୪୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଡିଏସ୍ପି ସୁଶାନ୍ତ କୁମାର ବିଶ୍ବାଳ, ଇନ୍ସିପେକ୍ଟର ସୂର୍ଯ୍ୟକାନ୍ତ ଟାକ୍ରି, ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ବୁଧବାର ପୂର୍ବାହ୍ନରେ ଅଭିଯୁକ୍ତ ଅଶ୍ୱିନୀଙ୍କୁ ଆଇସିଡିଏସ୍ କାର୍ଯ୍ୟାଳୟ ପରିସରରେ ଲାଞ୍ଚ ନେଉଥିବାବେଳେ ଧରିଥିଲେ।
ଏହାପରେ ସିଡିପିଓଙ୍କ ନନ୍ଦପୁରସ୍ଥିତ ଘର ଓ କିରାଣିଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ସିଡିପିଓ ନମିତାରାଣୀ ପାଲଙ୍କ ନନ୍ଦପୁରସ୍ଥିତ ବାସଭବନରେ ଭିଜିଲାନ୍ସର ୭ ଜଣିଆ ଟିମ୍ ପହଞ୍ଚି ତନାଘନା କରିଛନ୍ତି। ଡିଏସ୍ପି ଜୟଶ୍ରୀ ପ୍ରଧାନଙ୍କ ନେତୃତାଧୀନ ଏହି ଟିମ୍ ବନ୍ଧୁଗାଁରୁ ସିଡିପିଓଙ୍କୁ ସାଙ୍ଗରେ ଆଣି ଘର ଯାଞ୍ଚ କରିଥିଲେ। ସେଠାରୁ ୯୦ ହଜାରରୁ ଅଧିକ ନଗଦ ଟଙ୍କା, କିଛି ଅଳଙ୍କାର, ଏଲ୍ଆଇସି ବଣ୍ଡ୍, ଜମିଜମା ଓ ଗାଡ଼ିର କାଗଜପତ୍ର ମିଳିଛି। ଏନେଇ ଭିଜିଲାନ୍ସ ଏକ ମାମଲା(ନଂ.୧୫/୨୩) ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।