Categories: ଜାତୀୟ

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁର ଜିଲାରେ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ମଧ୍ୟାହ୍ନ ୧୨ଟା ୨୦ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତଙ୍କ ସମେତ ୧୪ ଜଣ ସେନା ଅଧିକାରୀ ଯାତ୍ରା କରୁଥିଲେ। ଇତିମଧ୍ୟରେ ୧୧ ମୃତ ଦେହ ଉଦ୍ଧାର କରାଯାଇଛି। ସେହିପରି ୩ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପାଗ ଖରାପ ଅବା କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।

ଲକ୍ଷ୍ୟସ୍ଥଳଠାରୁ ୧୦ କିଲୋମିଟରର ଦୂରରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିପନ ରାୱତ ଏହି ହେଲିକପ୍ଟରରେ ଥିବା ନେଇ ଭାରତୀୟ ବାୟୁସେନା ଟୁଇଟ୍‌ କରି ସୂଚନା ପ୍ରଦାନ କରିଛି।

ଦୁର୍ଘଟଣା ଘଟିବାର ଘଣ୍ଟାଏ ପରେ ସୂଚନା ପ୍ରଦାନ କରାଯାଇଥିଲା ଯେ, ରାଓ୍ବତଙ୍କୁ ଗୁରୁତର ଅବସ୍ତାରେ ଓ୍ବିଲିଂଟନ୍‌ ମିଲିଟାରୀ ହସ୍ପିଟାଲର ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଜଳିବା ଆରମ୍ଭ କରିଥିଲା। ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ହେଲିକପ୍ଟରରେ ଯାତ୍ରା କରୁଥିବା ଲୋକଙ୍କ ତାଲିକା ଜାରି ହୋଇଛି। ସେମାନଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ କର୍ମଚାରୀଙ୍କ ବ୍ୟତୀତ ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଥିଲେ।

ଜେନେରାଲ ରାୱତଙ୍କ ବ୍ୟତୀତ ହେଲିକପ୍ଟରରେ ଥିବା ଲୋକମାନଙ୍କ ମଧ୍ୟରେ ମଧୁଲିକା ରାୱତ, ବ୍ରିଗେଡିୟର୍‌ ଏଲ.ଏସ ଲିଡର୍‌, ଲ୍ୟୁଟନାଟ୍‌ କର୍ନଲ ହରଜିନ୍ଦର ସିଂ, ଗୁରୁସେଓଓ୍ବକ ସିଂ, ଜିତେନ୍ଦ୍ର କୁମାର, ବିବେକ କୁମାର, ବି ସାଇ ତେଜା ଏବଂ ହାଭିଲଦାର ସତ୍ୟପାଲ ରହିଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Share