ଶ୍ରୀନଗର,୨୫।୧୧: ଭାରତ ପାକିସ୍ତାନ ମଧ୍ୟରେ ୨୦୦୩ ନଭେମ୍ବର ୨୬ ମଧ୍ୟରାତ୍ରଠାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରବିରତିକୁ ୧୭ ବର୍ଷ ବିତିଛି। ତେବେ ଏହି ସମୟରେ ମଧ୍ୟରେ ପାକିସ୍ତାନ ୧୨ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଅର୍ଥାତ୍ ପାକିସ୍ତାନ ପକ୍ଷରୁ ପ୍ରତି ଦିନ ପିଛା ସୀମାରେ ୨ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାଦ୍ୱାରା ସୀମବର୍ତ୍ତୀ ଗାଁ ଗୁଡ଼ିକରେ ବାସ କରୁଥିବା ୩୨ ଲକ୍ଷରୁ ଅଧିକ ଲୋକେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ୧୯୮ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା ଏବଂ ୮୧୪ କିଲୋମିଟର ଦୀର୍ଘ ଏଲ୍ଓସି ନିକଟରେ ବାସ କରୁଥିବା ଲୋକେ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାର କୁପଓ୍ବାରା ଜିଲାର ମାଛଲି ସେକ୍ଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବାଟେ ଭାରତରେ ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ କରାଇଥାଏ। ସମୁଦ୍ର ପତ୍ତନଠାରୁ ୬,୫୦୦ରୁ ଅଧିକ ଫୁଟ ଉଚ୍ଚରେ ଥିବା ଏହି ଅଞ୍ଚଳ ଜଙ୍ଗଳ, ପାହାଡ଼ରେ ଘେରା। ଏହି ଦୁର୍ଗମ ଅଞ୍ଚଳ ବାଟେ ସହଜରେ ଆତଙ୍କବାଦୀମାନେ ପାକିସ୍ତାନୀ ଲଞ୍ଚପ୍ୟାଡ୍ରୁ ଭାରତରେ ଅନୁପ୍ରବେଶ କରିଥାନ୍ତି।