Categories: ଜାତୀୟ

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏଥିରେ ଭାରତୀୟ ସେନାର ଲାନ୍ସ୍‌ ନାଏକ କରନେଲ୍‌ ସିଂ ଶହୀଦ୍‌ ହୋଇଛନ୍ତି। ପାକିସ୍ତାନର ମୋର୍ଟାଲ ଶେଲିଂ ମାଡ଼ର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଗୁଳି ଗୋଳା ମାଡ଼ କରାଯାଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ଗୋଳା ବିନିମୟ ସମୟରେ ଲାନ୍ସ୍‌ ନାଏକ କରନେଲ୍‌ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ଗତ ୩ ଦିନ ଧରି ଲଗାତାର ମାନକୋଟ ସେକ୍ଟରରେ ଥିବା ସୀମାବର୍ତ୍ତୀ ଗାଁ ଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରୁଛି। ସେପ୍ଟମ୍ବର ମାସରେ ୩୦ ଦିନରେ ପାକିସ୍ତାନ ୪୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Share