Categories: ଜାତୀୟ

ଆୟକର ଛାଡ଼ ସୁବିଧା ନେବେନି ସିଇସି

ନୂଆଦିଲ୍ଲୀ,୨୧।୫(ପି.ଟି.): ତ୍ୟାଗର ନିଦର୍ଶନ ସ୍ବରୂପ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ଏବଂ ନିର୍ବାଚନ କମିଶନର (ଇସି) ଅନୁପ ଚନ୍ଦ୍ର ପାଣ୍ଡେ ସେମାନଙ୍କୁ ମିଳୁଥିବା ଆୟକର ଛାଡ଼ ଓ ଅନ୍ୟାନ୍ୟ ସୁବିଧା ନ ନେବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ସିଇସି ଏବଂ ଇସିଙ୍କୁ ନିର୍ବାଚନ କମିଶନ ଆଇନ, ୧୯୯୧ ଧାରା ୩ ଅନୁଯାୟୀ ମୋଟା ଅଙ୍କର ବେତନ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳିଥାଏ। ଏତ୍‌ଦ ବ୍ୟତୀତ ସେମାନଙ୍କୁ ମାସିକ ୩୪,୦୦୦ ଟଙ୍କା ବ୍ୟୟ ସମ୍ପର୍କିତ ଭତ୍ତା ମିଳୁଥିବାବେଳେ ଏହା ଉପରେ ଆୟକର ଦେବାକୁ ପଡ଼ି ନ ଥାଏ। ଏତଦ୍‌ବ୍ୟତୀତ ସେମାନଙ୍କୁ ବର୍ଷକୁ ୩ଟି ଏଲ୍‌ଟିସି (ଛୁଟି ଭ୍ରମଣ ରିହାତି) ମିଳିଥାଏ, ଯେଉଁଥିରୁ ସେମାନେ ଦୁଇଟିକୁ ସରେଣ୍ଡର କରିପାରିବେ। ଉକ୍ତ ସୁବିଧା ନ ନେବାକୁ ରାଜୀବ କୁମାର ଓ ପାଣ୍ଡେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବଙ୍କର ଏହା ଥିଲା ପ୍ରଥମ ବୈଠକ।

Share