ଟିକାକରଣରେ ରେକର୍ଡ ପରେ ଲାଲକିଲାରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୧ ।୧୦: କରୋନା ଟିକାକରଣରେ ସରକାର କେର୍ଡ କରିବାକୁ ଯାଉଛନ୍ତି । ଗୁରୁବାର ଦେଶରେ ୧୦୦କୋଟି ଟିକାକରଣ ପୂରଣ ହେବା ପରେ ମୋଦି ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡିଛି । ପ୍ରଥମେ ଏହି ଅବସରରେ ଦିଲ୍ଲୀର ଲାଲ କିଲାରେ ତ୍ରିରଙ୍ଗା ଉଡାଇବାର କାର୍ଯ୍ୟକ୍ରମ ରହିଛି । ଏହା ସକାଳ ପାଖାପାଖି ୧୦ଟା ସମୟରେ ଅନୁଷ୍ଠିତ ହେବ । ଏହି ତ୍ରିରଙ୍ଗାର ଲମ୍ବ ୨୫ ଫୁଟ, ଚଉଡା ୧୫୦ ଫୁଟ ଓ ଏହାର ଓଜନ ପାଖାପାଖି ୧,୪୦୦ କିଲୋ ରହିଥିବା ସୂଚନା ମିଳିଛି । ଏହା ଖଦି ପକଡାରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର କ୍ଷେତ୍ରଫଳ ରହିଛି ୩୭,୫୦୦ ବର୍ଗ ଫୁଟ । ଏଥିପାଇଁ ୪,୬୦୦ ମିଟର ସୂତା ଖଦି କପଡା ବ୍ୟବହାର କରାଯାଇଛି । ଏହାକୁ ୭୦ ଲୋକ ଏକାଠି ମିଶି ୪୯ ଦିନରେ ତିଆରି କରିଛନ୍ତି । ଏହା ଦେଶର ସବୁଠାରୁ ବଡ ଖଦି କପଡାରେ ତିଆରି ହୋଇଥିବା ତ୍ରିରଙ୍ଗା ବୋଲି କୁହାଯାଉଛି । ଏହାପୂର୍ବରୁ ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲେହରେ ପାହାଡ଼ ଉପରେ ୧୦୦୦ କିଲୋଗ୍ରାମ ଓଜନର ଖଦି ପକଡ଼ାରେ ପ୍ରସ୍ତୁତ ତ୍ରିରଙ୍ଗା ଉଡାଯାଇଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ କରାଯାଇଥିବା ବେଳେ ଅକ୍ଟୋବର ୨୧ରେ ଏହା ୧୦୦ କୋଟିରେ ପହଞ୍ଚିଛି ।

Share