Categories: ଜାତୀୟ

ଚାଷୀଙ୍କ ସମର୍ଥନରେ ସେଲିବ୍ରିଟି

ନୂଆଦିଲ୍ଲୀ, ୩ା୨: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ୨ ମାସ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ତ୍ତମାନ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ଆମେରିକା ପପ୍‌ ଷ୍ଟାର ରିହାନା। ‘ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ, ହାସ୍‌ଟ୍ୟାଗ ଫାର୍ମର୍ସ ପ୍ରୋଟେଷ୍ଟ’ ଲେଖି ରିହାନା ଟୁଇଟ୍‌ କରିଥିଲେ। ପରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସେଲିବ୍ରିଟିଙ୍କ ସମେତ ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନବର୍ଗ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଭାଣିଜୀ ତଥା ଆମେରିକାରେ ଓକିଲ ଥିବା ମୀନା ହାରିସ୍‌ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଆମେ ସମସ୍ତେ ଭାରତରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସହ ଅଛୁ ବୋଲି ଗ୍ରେଟା ଟୁଇଟ୍‌ କରିଛନ୍ତି। ପୋଲିସ ସହ ମୁହାଁମୁହିଁ ହେବା ପରେ ଦିଲ୍ଲୀରେ ଚାଷୀମାନଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯିବା ନେଇ ସିଏନ୍‌ଏନ୍‌ରେ ପ୍ରକାଶିତ ଖବରକୁ ସେ ଟ୍ୟାଗ୍‌ କରିଛନ୍ତି। ସେହିପରି ‘ଆମେ ସମସ୍ତେ କୃଷକ ବିରୋଧୀ କାର୍ଯ୍ୟ ତଥା ଆନ୍ଦୋଳନକାରୀ ଚାଷୀଙ୍କ ବିପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ଆବଶ୍ୟକ’ ବୋଲି ମୀନା ହାରିସ୍‌ ଟୁଇଟ୍‌ କରିଛନ୍ତି। ପର୍ନ ଷ୍ଟାର ମିଆ ଖଲିଫା ମଧ୍ୟ ଆନ୍ଦୋଳନ ସପକ୍ଷରେ ମୁହଁ ଖୋଲିଛନ୍ତି। ତେବେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଏଭଳି ପ୍ରତିକ୍ରିୟାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିରୋଧ କରାଯାଇଛି। ସେଲିବ୍ରିଟିମାନେ ଏପରି ମନ୍ତବ୍ୟ ରଖିବା ଦାୟିତ୍ୱହୀନତାର ପରିଚୟ ଏବଂ ଏହା ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share