ତୁଷାରଙ୍କ ‘ଟାଇପୋଗ୍ରାଫି’ରେ ସେଲିବ୍ରିଟିଙ୍କ ଚିତ୍ର

ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା): ଅନେକ ସେଲିବ୍ରିଟି ଓ ରାଜନେତାଙ୍କୁ ସେମାନଙ୍କ ଚିତ୍ର ଆଙ୍କି ଉପହାର ଦିଅନ୍ତି ନିଆରା ଶିଳ୍ପୀ ତୁଷାର ବେହେରା। ତେବେ ସେ ଆଙ୍କୁଥିବା ଚିତ୍ରଗୁଡ଼ିକର ସ୍ବତନ୍ତ୍ରତା ରହିଛି। ଟାଇପୋଗ୍ରାଫିରେ ଚିତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ଜଣେ ବ୍ୟକ୍ତି ବା ବସ୍ତୁର ଚିତ୍ରକୁ ଛୋଟବଡ଼ ଅକ୍ଷରରେ ସଜାଯାଇଥାଏ। ଏହି ଅକ୍ଷରକୁ ନେଇ ଗଠିତ ସଂପୃକ୍ତ ବ୍ୟକ୍ତି ବା ବସ୍ତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ। ଅମିତାଭ ବଚ୍ଚନ, ବିଜୟ ମହାନ୍ତିଙ୍କଠାରୁ ଆରମ୍ଭ କରି ଇର୍‌ଫାନ୍‌ ଖାନ୍‌, ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ସମେତ ଅନେକ କଳାକାରଙ୍କ ଚିତ୍ର ଆଙ୍କିଛନ୍ତି ତୁଷାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ଉପହାରସ୍ବରୂପ ପ୍ରଦାନ କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କଠାରୁ ଏପରି ଚିତ୍ର ଗ୍ରହଣ କରିଛନ୍ତି। ସେହିପରି ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ବରାଜ, ଅରୁଣ ଜେଟ୍‌ଲୀ, ଡ. ବି. ଆର୍‌. ଆମ୍ବେଡକର ପ୍ରମୁଖଙ୍କୁ ଟାଇପୋଗ୍ରାଫି ମାଧ୍ୟମରେ ସେମାନଙ୍କ ପୁଣ୍ୟ ତିଥିରେ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାଜପୁରର ତୁଷାରଙ୍କ ଭୁବନେଶ୍ୱରସ୍ଥିତ ଆଇଟିଇଆର୍‌ରେ ପାଠପଢ଼ା ସମୟରୁ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କିଛି ସ୍ବତନ୍ତ୍ର କରିବା ପାଇଁ ପ୍ରୟାସ କରୁଥିବା ତୁଷାର ଟାଇପୋଗ୍ରାଫିକୁ ନିଶା ଭାବରେ ଗ୍ରହଣ କରିନେଇଥିଲେ। ଆଗକୁ ଆହୁରି ଅନେକ ସ୍ବତନ୍ତ୍ର ବ୍ୟକ୍ତିତ୍ୱକୁ ସେ କାଗଜ ଓ ପେନ୍‌ସିଲରେ ସଜାଇବେ ବୋଲି କହିଛନ୍ତି। ତାଙ୍କର ଏହି କଳା ପ୍ରତି ଆକର୍ଷିତ ହୋଇ ଯୁବପିଢ଼ି ଚିତ୍ର ପାଇଁ ବରାଦ ଦେବା ଆରମ୍ଭ କରିଛନ୍ତି। ରାଜ୍ୟ ତଥା ବାହାରକୁ ତାଙ୍କର ଏହି ଚିତ୍ର ଯାଉଛି। ଟାଇପୋଗ୍ରାଫି ଚିତ୍ରକଳା ସମ୍ପର୍କରେ ଅନେକେ ଜାଣନ୍ତି ନାହିଁ। ଏହି କଳାକୁ ଅଧିକ ପରିଚିତ କରିବା ପାଇଁ ସେ ଚେଷ୍ଟା କରୁଥିବା ତୁଷାର କହିଛନ୍ତି।

Share