କରୋନା ଆକ୍ରାନ୍ତଙ୍କ ସାହାରା ଅଭିନେତା ଋଷି

ଭୁବନେଶ୍ୱର, ୧୯।୫ (ବ୍ୟୁରୋ):କରୋନା ମହାମାରୀର ଭୟାବହ ପରିସ୍ଥିତିରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କିଏ କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ତ ଆଉ କିଏ ସେମାନଙ୍କୁ ଅକ୍ସିଜେନ ଯୋଗାଇ ଦେଉଛନ୍ତି। ଓଲିଉଡ୍‌ ଷ୍ଟାର୍‌ ସବ୍ୟସାଚୀ ମିଶ୍ରଙ୍କ ଭଳି ଆଉଜଣେ ସେଲିବ୍ରିଟି ଋଷି ପଟ୍ଟନାୟକ କରୋନା ପୀଡିତଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ତଥା ଟିଭି ସିରିଏଲ୍‌ର ଜଣେ ପରିଚିତ ଚେହେରା ହେଉଛନ୍ତି ଋଷି। ଗତବର୍ଷ କରୋନା କାଳରେ ଅନେକଙ୍କୁ ସାହାଯ୍ୟ କରିଥିବା ଋଷି ଏବେ ତାଙ୍କ ୯୩୩୭୦୫୨୭୦୬ ଫୋନ୍‌ ନମ୍ବରକୁ ୨୪ଘଣ୍ଟିଆ ସେବା ପାଇଁ ଲଗାଇ ଦେଇଛନ୍ତି। ଖୋର୍ଦ୍ଧା, ଜଟଣୀ, ସୁନାବେଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଗଞ୍ଜାମ, ଭଦ୍ରକ, ସମ୍ବଲପୁର, ପୁରୀ ଭଳି ବାହାର ଜିଲାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସୁଥିବା ଆକ୍ରାନ୍ତଙ୍କ ସେ ସାହାରା ପାଲଟିଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ଆମ୍ବୁଲାନ୍ସ ଯୋଗାଡ କରିବାଠାରୁ ଆରମ୍ଭ କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା, ଡାକ୍ତରଙ୍କ ପରାମର୍ଶ ଯୋଗାଇ ଦେବା, ଅକ୍ସିଜେନ୍‌ ଯୋଗାଡ କରିବା ଆଦି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏଯାବତ୍‌ ସେ ୩ଶହରୁ ଉର୍ଦ୍ଧ୍ୱ ପରିବାରକୁ ସହାୟତା କରି ସାରିଲେଣି। ଏପରିକି ମୃତ କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ନିମନ୍ତେ ମଧ୍ୟ ସହଯୋଗ କରୁଛନ୍ତି। ଏହା ବ୍ୟତୀତ ସେ ସୋସିଆଲ ମିଡିଆ ମାଧ୍ୟମରେ ସଚେତନ କରିବା ସହ ଲଢ଼େଇ ପାଇଁ ଯୋଦ୍ଧାଙ୍କୁ ଉତ୍ସାହିତ କରୁଛନ୍ତି।
ଏନେଇ ଋଷି କୁହନ୍ତି, ଗତବର୍ଷ ମହାମାରୀ ସମୟରେ ଲୋକେ ଘରକୁ ଫେରିବା ପାଇଁ ପାସ୍‌ ସହ ଖାଦ୍ୟ ଓ ଆର୍ଥତ୍କ ସହାୟତା ପାଇଁ ଫୋନ୍‌ କରୁଥିଲେ। କିନ୍ତୁ ଏବର୍ଷ ଆମ୍ବୁଲାନ୍ସ ସେବା, ଡାକ୍ତରଖାନାରେ ଭର୍ତ୍ତି ହେବା ଓ ଅକ୍ସିଜେନ୍‌ ପାଇଁ ଫୋନ୍‌ କରୁଛନ୍ତି। ଯଥାସମ୍ଭବ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛି। ତେବେ ଏହା କେବଳ ଈଶ୍ୱରଙ୍କ କୃପା ସହ ଜନସମ୍ପର୍କ ପାଇଁ ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି।J

Share